
ନୂଆଦିଲ୍ଲୀ, ୨୪ ଜୁଲାଇ (ହି.ସ.)- କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁନିୟୋଜିତ ଭାବରେ ଦୁର୍ବଳ କରିବା, ସାର୍ବଜନିକ ଶିକ୍ଷାକୁ ପଛକୁ ଠେଲିଦେବା, ପରୀକ୍ଷା ବ୍ୟବସ୍ଥାକୁ ଦୁର୍ନୀତି ଏବଂ ଅବ୍ୟବସ୍ଥାର ଶିକାର କରିବା ତଥା ଛାତ୍ରମାନଙ୍କର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବଳପୂର୍ବକ ଦମନ କରିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଗତ ୧୨ ବର୍ଷ ମଧ୍ୟରେ ୧୫୨ଟି ପ୍ରଶ୍ନପତ୍ର ଲିକ୍, ଶିକ୍ଷାର ବଢ଼ୁଥିବା ବେସରକାରିକରଣ, ଯୁବମାନଙ୍କ ମଧ୍ୟରେ ବଢ଼ୁଥିବା ବେକାରି ଏବଂ ଜବାବଦେହିତାରୁ ସରକାରଙ୍କ ଲଗାତାର ପଳାୟନ ଦେଶର ଛାତ୍ରମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି। ଛାତ୍ରମାନଙ୍କର ଯଥାର୍ଥ ଦାବିର ଉତର ଆଲୋଚନା ମାଧ୍ୟମରେ ନୁହେଁ, ବରଂ ଲାଠିଚାର୍ଜ, ଲୁହବୁହା ଗ୍ୟାସ ଏବଂ ଦମନ ମାଧ୍ୟମରେ ଦିଆଯାଇଛି, ଯାହା ଲୋକତନ୍ତ୍ର ପାଇଁ ଗୁରୁତର ଚିନ୍ତାର ବିଷୟ।
ସୋନିଆ ଗାନ୍ଧୀ ଶୁକ୍ରବାର ଏକ ଇଂରାଜୀ ଦୈନିକରେ ପ୍ରକାଶିତ ତାଙ୍କର ଲେଖା ‘ଶିକ୍ଷା ବ୍ୟବସ୍ଥାର ପତନ ଏବଂ ଯୁବ ଭାରତର ଦୁର୍ଦ୍ଦଶା’ରେ କହିଛନ୍ତି ଯେ, ଗତ କିଛି ସପ୍ତାହ ଧରି ସମଗ୍ର ଦେଶର ଛାତ୍ରମାନେ ପ୍ରଶ୍ନପତ୍ର ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାର ପତନ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କର ଦାବି କେବଳ ଜବାବଦେହିତା ନିର୍ଦ୍ଧାରଣ କରିବା ଏବଂ ଶିକ୍ଷା ସଂସ୍କାର ଲାଗୁ କରିବା, କିନ୍ତୁ କେନ୍ଦ୍ର ସରକାର ସେମାନଙ୍କର ସ୍ୱର ଶୁଣିବା ପରିବର୍ତେ ସେମାନଙ୍କ ସହ ନିଷ୍ଠୁର ବ୍ୟବହାର କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ୨୦ ଜୁଲାଇରେ ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଛାତ୍ରମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ବଳପୂର୍ବକ ଦମନ କରିବା ପାଇଁ ଲାଠିଚାର୍ଜ ଏବଂ ଲୁହବୁହା ଗ୍ୟାସର ବ୍ୟବହାର କରିଥିଲେ। ଏହି କାର୍ଯ୍ୟରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଘରକୁ ଫେରୁଥିବା ଛାତ୍ରମାନଙ୍କୁ ମଧ୍ୟ ଛାଡ଼ାଯାଇନଥିଲା ଏବଂ ସେମାନଙ୍କର ମୁଣ୍ଡ ଓ ପିଠିରେ ଲାଠି ମାଡ଼ କରାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, ପେଲେଟ୍ ବ୍ୟବହାର ପାଇଁ ଅନୁମତି ମଧ୍ୟ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କ ସ୍ତରରେ ଦିଆଯାଇଥିବ। ସେହି ଦିନର ଦୃଶ୍ୟ ସମଗ୍ର ଦେଶର ସାମୂହିକ ଚେତନାକୁ ଝଟକା ଦେଇଥିଲା।
ସୋନିଆ ଗାନ୍ଧୀ କହିଛନ୍ତି ଯେ, ମୋଦୀ ସରକାର ଆଲୋଚନା ପରିବର୍ତେ ହିଂସାକୁ ପ୍ରାଥମିକତା ଦେଇଥାଏ। କୃଷକ ଆନ୍ଦୋଳନରୁ ଆରମ୍ଭ କରି ସାମାଜିକ କର୍ମୀମାନଙ୍କ ପର୍ଯ୍ୟନ୍ତ ଏବଂ ବର୍ତମାନ ଛାତ୍ରମାନଙ୍କ ସହ ମଧ୍ୟ ଏହିଭଳି ବ୍ୟବହାର କରାଯାଇଛି। ଭବିଷ୍ୟତର ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ପ୍ରଶାସନିକ ଅଧିକାରୀ ଏବଂ ଉଦ୍ୟୋଗୀମାନଙ୍କ ସହ ଆଲୋଚନା ସ୍ଥାପନ କରିବା ପରିବର୍ତେ ସରକାର ସେମାନଙ୍କ ବିରୋଧରେ ରାଜ୍ୟର ଦମନକାରୀ ଶକ୍ତିର ବ୍ୟବହାର କରିଛନ୍ତି, ଯାହାକୁ ଭୁଲିହେବ ନାହିଁ ଏବଂ କ୍ଷମା କରାଯାଇପାରିବ ନାହିଁ ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ