
କୋଲକାତା, ୨୪ ଜୁଲାଇ (ହି.ସ.)- ନିଟ୍ ପ୍ରଶ୍ନପତ୍ର ଲିକ୍, ଶିକ୍ଷା ବ୍ୟବସ୍ଥାରେ କଥିତ ଦୁର୍ନୀତି ଏବଂ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି 'କକରୋଚ୍ ଜନତା ପାର୍ଟି' (ସିଜେପି)ଙ୍କ ପ୍ରସ୍ତାବିତ ବିରୋଧ ରାଲିକୁ ନେଇ ଶୁକ୍ରବାର କୋଲକାତାର ରାଜନୈତିକ ପରିବେଶ ଉତପ୍ତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ଏହି ପ୍ରସ୍ତାବିତ ଆନ୍ଦୋଳନ ଉପରେ ଆପତି ଜଣାଇଛି, ଯେତେବେଳେ ତୃଣମୂଳ କଂଗ୍ରେସ ନେତାମାନେ ଏହାକୁ ଗଣତାନ୍ତ୍ରିକ ଅଧିକାର ବୋଲି କହି ସମର୍ଥନ କରିଛନ୍ତି।
ସିଜେପି ଗତ କିଛି ଦିନ ଧରି ଦିଲ୍ଲୀରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାରେ କଥିତ ଅନିୟମିତତା ବିରୋଧରେ ଆନ୍ଦୋଳନ କରୁଛି। ସଂଗଠନର ଦାବି ହେଉଛି ସମଗ୍ର ମାମଲାର ନିରପେକ୍ଷ ତଦନ୍ତ କରାଯାଉ ଏବଂ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ। ଏହି ଆନ୍ଦୋଳନକୁ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନ ମଧ୍ୟ ମିଳିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଲଗାତାର ଧାରଣା ଏବଂ ଅନଶନ ଚାଲିଛି, ଯେଉଁଠାରେ ଅନେକ କଳାକାର ଏବଂ ବିରୋଧୀ ଦଳର ପ୍ରତିନିଧିମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି ସାମିଲ ହେଉଛନ୍ତି। ତେବେ ସରକାର ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଏପର୍ଯ୍ୟନ୍ତ କୌଣସି ଠୋସ ନିଷ୍କର୍ଷରେ ପହଂଚିପାରିନାହିଁ।
ଏହି କ୍ରମରେ ସିଜେପି ଶୁକ୍ରବାର କୋଲକାତାରେ ମଧ୍ୟ ବିରୋଧ ରାଲି କାଢ଼ିବାକୁ ଘୋଷଣା କରିଛି। ସଂଗଠନ ସହ ଜଡ଼ିତ ଥିବା ଦାବି କରୁଥିବା ଦେଦୀପ୍ୟ ଗାଙ୍ଗୁଲୀ କହିଛନ୍ତି ଯେ ସେମାନେ ୨୪ ଜୁଲାଇରେ ରାଲି ଆୟୋଜନ ପାଇଁ ଅନୁମତି ମାଗି କୋଲକାତା ପୁଲିସକୁ ପତ୍ର ଏବଂ ଅନେକଥର ଇ-ମେଲ ପଠାଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଉତର ମିଳିନାହିଁ।
ପ୍ରସ୍ତାବିତ ରାଲି କଲେଜ୍ ଷ୍ଟ୍ରିଟରୁ ରାଣୀ ରାସମଣି ଆଭେନ୍ୟୁ ପର୍ଯ୍ୟନ୍ତ ବାହାରିବ। ଆୟୋଜକମାନଙ୍କ ଅନୁସାରେ, ଏଥିରେ ପ୍ରାୟ ୧,୫୦୦ ଜଣ ଲୋକ ସାମିଲ ହେବାର ସମ୍ଭାବନା ରହିଛି। ସେମାନଙ୍କ କହିବା ଅନୁଯାୟୀ, ଅନୁମତି ମିଳିଲେ ରାଲି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ ହେବ।
-------------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ