
ନୂଆଦିଲ୍ଲୀ, ଜୁଲାଇ 26 (ହି.ସ)
କାର୍ଗିଲ ବିଜୟ ଦିବସ ଅବସରରେ ଆଜି କୃତଜ୍ଞ ରାଷ୍ଟ୍ର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଚଳିତ ବର୍ଷ ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀ ପରିବର୍ତ୍ତେ ଲଦାଖର ଦ୍ରାସସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକରେ ଆୟୋଜିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଏବଂ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ସକାଳେ ନିଜ ଏକ୍ସ ପୋଷ୍ଟରେ ଭାରତୀୟ ସଶସ୍ତ୍ର ବାହିନୀର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଦିବସର ପୂର୍ବ ସନ୍ଧ୍ୟାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଦ୍ରାସରେ ପହଞ୍ଚି କାର୍ଗିଲର ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ରାଷ୍ଟ୍ରପତି ଭବନର ଅଧିକାରିକ ଏକ୍ସ ହ୍ୟାଣ୍ଡେଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି, କାର୍ଗିଲ ବିଜୟ ଦିବସ ଅବସରରେ ମାତୃଭୂମିର ସୁରକ୍ଷା ପାଇଁ ନିଜ ପ୍ରାଣ ବଳିଦାନ ଦେଇଥିବା ବୀର ଯୋଦ୍ଧାମାନଙ୍କୁ ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କର ଅଦ୍ୱିତୀୟ ପରାକ୍ରମ, ଅଟଳ ସଂକଳ୍ପ ଏବଂ ଅନନ୍ୟ ରାଷ୍ଟ୍ରଭକ୍ତି ଆମ ସେନାର ଗୌରବମୟ ପରମ୍ପରାର ଅତୁଳନୀୟ ଉଦାହରଣ। ଦେଶ ସର୍ବଦା ସେମାନଙ୍କ ଋଣୀ ହୋଇ ରହିବ। ସେମାନଙ୍କର ବୀରତ୍ୱଗାଥା ଆଗାମୀ ପିଢ଼ିକୁ ରାଷ୍ଟ୍ରସେବା ଓ କର୍ତ୍ତବ୍ୟନିଷ୍ଠାର ପଥରେ ପ୍ରେରଣା ଦେଇ ଚାଲିବ।
ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଲେଖିଛନ୍ତି, କାର୍ଗିଲ ବିଜୟ ଦିବସରେ ଦେଶ ସେହି ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କର ଅସାଧାରଣ ସାହସ, ଅଟୁଟ ସଂକଳ୍ପ ଓ ସର୍ବୋଚ୍ଚ ବଳିଦାନ କାର୍ଗିଲ ଯୁଦ୍ଧରେ ଭାରତକୁ ଐତିହାସିକ ବିଜୟ ଦେଇଥିଲା ଏବଂ ଦେଶର ସାର୍ବଭୌମତ୍ୱ ଓ ଭୂଖଣ୍ଡ ଅଖଣ୍ଡତାକୁ ସୁରକ୍ଷିତ ରଖିଥିଲା। ଏହି ବିଜୟ ଭାରତର ସାମରିକ ଶକ୍ତି, ଜାତୀୟ ଏକତା ଏବଂ ମାତୃଭୂମିର ପ୍ରତ୍ୟେକ ଇଞ୍ଚ ଜମିକୁ ସୁରକ୍ଷା ଦେବାର ଦୃଢ଼ ସଂକଳ୍ପର ପ୍ରମାଣ। ଦେଶ ସର୍ବଦା ଆମ ବୀର ସୈନିକ ଓ ସେମାନଙ୍କ ପରିବାର ପ୍ରତି କୃତଜ୍ଞ ରହିବ। ଜୟ ହିନ୍ଦ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, କାର୍ଗିଲ ବିଜୟ ଦିବସରେ ସମଗ୍ର ଦେଶ ଭାରତର ସୁରକ୍ଷା ପାଇଁ ବୀର ସୈନିକମାନଙ୍କର ଅସାଧାରଣ ସାହସ ଓ ସମର୍ପଣ ପ୍ରତି କୃତଜ୍ଞତା ଜଣାଉଛି। ଅତ୍ୟନ୍ତ କଠିନ ପରିସ୍ଥିତିରେ ମଧ୍ୟ ସେମାନଙ୍କର ଅଦମ୍ୟ ସାହସ ସର୍ବଦା ଜାତୀୟ ଗୌରବର ଉତ୍ସ ହୋଇ ରହିବ। ସେମାନଙ୍କର ଅଟୁଟ ଦେଶଭକ୍ତି ଓ କର୍ତ୍ତବ୍ୟନିଷ୍ଠା ଆଗାମୀ ପିଢ଼ିକୁ ପ୍ରେରଣା ଦେଇ ଚାଲିବ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି, କାର୍ଗିଲ ବିଜୟ ଦିବସ ଭାରତୀୟ ସେନାର ଅଦମ୍ୟ ସାହସ ଓ ଅତୁଳନୀୟ ପରାକ୍ରମର ପ୍ରତୀକ। ୧୯୯୯ ମସିହାରେ ହିମାଳୟର ଦୁର୍ଗମ ବରଫାଚ୍ଛାଦିତ ପର୍ବତ ଶିଖରରେ ପ୍ରତିକୂଳ ପରିସ୍ଥିତି ଏବଂ ଉଚ୍ଚସ୍ଥାନରେ ଥିବା ଶତ୍ରୁର ମୋର୍ଚ୍ଚା ସତ୍ତ୍ୱେ ଆମର ବୀର ଯବାନମାନେ ‘ଅପରେସନ ବିଜୟ’ ମାଧ୍ୟମରେ ଶତ୍ରୁକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ। କାର୍ଗିଲ ବିଜୟ ଦିବସରେ ଦେଶର ଅଖଣ୍ଡତା ରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ବୀର ସନ୍ତାନଙ୍କୁ ମୁଁ ନମନ କରୁଛି।
ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଲେଖିଛନ୍ତି, ଅପରେସନ ବିଜୟ ସମୟରେ ମାତୃଭୂମିର ସାର୍ବଭୌମତ୍ୱ ଓ ସମ୍ମାନର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦମାନଙ୍କୁ ମୁଁ କାର୍ଗିଲ ବିଜୟ ଦିବସରେ ନମନ କରୁଛି। ଆମ ସଶସ୍ତ୍ର ବାହିନୀର ଅସାଧାରଣ ସାହସ ଆଗାମୀ ପିଢ଼ିକୁ ସଦା ପ୍ରେରିତ କରିବ। ସହିଦମାନଙ୍କ ପରିବାର ପ୍ରତି ମଧ୍ୟ ମୁଁ ଗଭୀର ଶ୍ରଦ୍ଧା ଜଣାଉଛି। ସେମାନଙ୍କର ନିଃସ୍ୱାର୍ଥ ସମର୍ପଣ ଆମର ଜାତୀୟ ଗୌରବର ଏକ ସ୍ଥାୟୀ ପ୍ରତୀକ।
ଚଳିତ ବର୍ଷ କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀ ପରିବର୍ତ୍ତେ ଲଦାଖର ଦ୍ରାସସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକରେ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମର ପୂର୍ବ ସନ୍ଧ୍ୟାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଦ୍ରାସରେ ପହଞ୍ଚି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଯୁଦ୍ଧ ୧୯୯୯ ମସିହାର ମେ ମାସରୁ ୨୬ ଜୁଲାଇ ପର୍ଯ୍ୟନ୍ତ ପ୍ରାୟ ୬୦ ଦିନ ଧରି ଚାଲିଥିଲା।
ଶୀତ ଋତୁରେ ହୋଇଥିବା ଅନୁପ୍ରବେଶ ଧରାପଡ଼ିବା ପରେ ଭାରତୀୟ ସ୍ଥଳସେନା ‘ଅପରେସନ ବିଜୟ’ ଏବଂ ଭାରତୀୟ ବାୟୁସେନା ‘ଅପରେସନ ସଫେଦ ସାଗର’ ଆରମ୍ଭ କରିଥିଲା। ଭାରତୀୟ ସୈନିକମାନେ ଦୁର୍ଗମ ପାହାଡ଼, ଶୂନ୍ୟରୁ କମ୍ ତାପମାତ୍ରା ଭଳି କଠିନ ପରିସ୍ଥିତିକୁ ସାମ୍ନା କରି ଟୋଲୋଲିଙ୍ଗ, ଟାଇଗର ହିଲ୍ ଏବଂ ପଏଣ୍ଟ ୪୮୭୫ ପରି ଗୁରୁତ୍ୱପୂର୍ଣ୍ଣ ଶିଖରଗୁଡ଼ିକୁ ପାକିସ୍ତାନର କବଜାରୁ ପୁନରୁଦ୍ଧାର କରିଥିଲେ। ଭାରତୀୟ ସେନାର ଅଦମ୍ୟ ସାହସ ଓ ପରାକ୍ରମ ବଳରେ ୨୬ ଜୁଲାଇ ୧୯୯୯ ରେ ଭାରତ ସମସ୍ତ ହରାଇଥିବା ଚୌକିକୁ ପୁନର୍ଦଖଲ କରିଥିଲା। ଏହି ଐତିହାସିକ ବିଜୟର ସ୍ମୃତିରେ ପ୍ରତିବର୍ଷ ୨୬ ଜୁଲାଇକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଏ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା