
ଅଭିନେତା ସୁନୀଲ ଆନନ୍ଦଙ୍କ ଦେହାନ୍ତ
ମୁମ୍ବାଇ, ୨୮ ଜୁଲାଇ (ହି.ସ.) ହିନ୍ଦୀ ସିନେମାର ଦିଗ୍ଗଜ ଅଭିନେତା ଦେବ ଆନନ୍ଦଙ୍କ ପୁଅ ଏବଂ ଅଭିନେତା-ନିର୍ଦ୍ଦେଶକ ସୁନୀଲ ଆନନ୍ଦଙ୍କର ୭୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କୁ ହୃଦ୍ଘାତ ହୋଇଥିଲା, ଯାହା ପରେ ଲଣ୍ଡନର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
କୁହାଯାଉଛି ଯେ, ଏହି ସେହି ହସ୍ପିଟାଲ ଯେଉଁଠାରେ ତାଙ୍କ ପିତା ଦେବ ଆନନ୍ଦଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ପରିବାର ପକ୍ଷରୁ ଜାରି କରାଯାଇଥିବା ଆଧିକାରିକ ବିବୃିରେ ତାଙ୍କ ଦେହାନ୍ତର ପୁଷ୍ଟି କରାଯାଇଛି। ତାଙ୍କ ଦେହାନ୍ତ ଖବରରେ ଚଳଚ୍ଚିତ୍ର ଜଗତ ଓ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି, ସୋସିଆଲ ମିଡିଆରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଉଛି।
ସୁନୀଲ ଆନନ୍ଦଙ୍କ ଭାଣିଜୀ ଜୀନା ନାରଙ୍ଗ ପରିବାର ପକ୍ଷରୁ ଜାରି ବିବୃତିରେ କହିଛନ୍ତି ଯେ, ଏହି କଠିନ ସମୟରେ ମିଳିଥିବା ସ୍ନେହ, ସମବେଦନା ଓ ପ୍ରାର୍ଥନା ପାଇଁ ପରିବାର ସମସ୍ତଙ୍କ ନିକଟରେ କୃତଜ୍ଞ। ସେ ଲୋକମାନଙ୍କୁ ପରିବାରର ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ସେମାନେ ଏହି ଦୁଃଖର ସମୟକୁ ଏକତାର ସହ ଅତିକ୍ରମ କରିପାରିବେ। ପରିବାର ସମସ୍ତ ଶୁଭେଚ୍ଛୁଙ୍କ ସମର୍ଥନ ପାଇଁ ମଧ୍ୟ କୃତଜ୍ଞତା ଜଣାଇଛି।
ସୁନୀଲ ଆନନ୍ଦ, ଦେବ ଆନନ୍ଦ ଏବଂ କଳ୍ପନା କାର୍ତିକଙ୍କ ଏକମାତ୍ର ପୁଅ ଥିଲେ। ସେ ୧୯୮୪ ମସିହାରେ ନିଜ ପିତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଆନନ୍ଦ ଔର ଆନନ୍ଦ’ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଥିଲେ। ଏହା ପରେ ସେ ‘ମୈଁ ତେରେ ଲିଏ’ ଏବଂ ‘କାର ଥିଫ’ ପରି ଚଳଚ୍ଚିତ୍ରରେ ନଜର ଆସିଥିଲେ। ତେବେ ସେ ନିଜ ପିତାଙ୍କ ପରି ସଫଳତା ପାଇପାରିନଥିଲେ। ପରେ ସେ ଅଭିନୟରୁ ଦୂରେଇ ପାରିବାରିକ ବ୍ୟାନର ନବକେତନ ଫିଲ୍ମ୍ସର ଦାୟିତ୍ୱ ସମ୍ଭାଳିଥିଲେ ଏବଂ ନିଜ ପିତାଙ୍କ ସିନେମାଟିକ ଐତିହ୍ୟକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରିଥିଲେ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ