
ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଙ୍ଗଳବାର ଲୋକସଭାରେ ପେପର ଲିକ୍ ସମସ୍ୟା ସମ୍ବନ୍ଧୀୟ ଆଇନକୁ ଅଧିକ କଠୋର କରିବା ପ୍ରସ୍ତାବିତ ବିଧେୟକ ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇଥିଲେ। ସେ କହିଥିଲେ ଯେ, ସରକାର ଦେଶର ଯୁବବର୍ଗଙ୍କ କଥା ଶୁଣିବା ଉଚିତ। ସରକାର ନିଜେ ଯୁବମାନଙ୍କୁ ଜନସାଂଖ୍ୟିକ ଲାଭାଂଶ ବୋଲି କହୁଛନ୍ତି, କିନ୍ତୁ ଏପରି ନ ହେଉ ଯେ ଏହି ଯୁବବର୍ଗ ବିପର୍ଯ୍ୟୟରେ ପରିଣତ ହୋଇଯାଉ।
ଲୋକସଭାରେ ଲୋକ ପରୀକ୍ଷା (ଅନୁଚିତ ସାଧନ ନିବାରଣ) ସଂଶୋଧନ ବିଧେୟକ, ୨୦୨୬ ଉପରେ ଆଲୋଚନା ସମୟରେ ଅଖିଳେଶ ଯାଦବ ଉତର ପ୍ରଦେଶରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ରାମମନ୍ଦିର ଚଢ଼ାଉ ଚୋରି ଏବଂ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଉତର ପ୍ରଦେଶରେ ୨୦ରୁ ଅଧିକ ପେପର ଲିକ୍ ଘଟଣା ଘଟିଛି।
ଆଇନ ବିଷୟରେ ଅଖିଳେଶ କହିଥିଲେ ଯେ, ସରକାର ନିଜେ ପ୍ରସ୍ତୁତ କରିଥିବା ଆଇନରେ ସଂଶୋଧନ ଆଣିଛନ୍ତି। ଏହା ଲୋକଙ୍କ ଆଖିରେ ଧୂଳି ଦେବା ସଦୃଶ। ଯଦି ଆଇନ ଦ୍ୱାରା ପେପର ଲିକ୍ ବନ୍ଦ ହୋଇପାରୁଥାନ୍ତା, ତେବେ ଏହା ପୂର୍ବରୁ କାହିଁକି ବନ୍ଦ ହେଲା ନାହିଁ? ସେ ଅଭିଯୋଗ କରିଥିଲେ ଯେ, ସରକାର ପରୀକ୍ଷା ଆୟୋଜନକାରୀ ସଂସ୍ଥା ଏନଟିଏକୁ ଆଉଟସୋର୍ସ କରିଦେଇଛନ୍ତି।
ଆଲୋଚନା ସମୟରେ କେନ୍ଦ୍ରୀୟ ମନ୍ତ୍ରୀ କିରଣ ରିଜିଜୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ପଚାରିଥିଲେ ଯେ, ଛାତ୍ର ଆନ୍ଦୋଳନ ଉପରେ ଆଇନ ତିଆରି କରୁଥିବା ଲୋକମାନେ ଭଲ କି ଛାତ୍ର ଆନ୍ଦୋଳନ ଉପରେ ଜରୁରୀକାଳ ଲାଗୁ କରୁଥିବା ଲୋକମାନେ? ଏହାର ଉତରରେ ଅଖିଳେଶ ଯାଦବ କଟାକ୍ଷ କରି କହିଥିଲେ ଯେ, ଜରୁରୀକାଳ ପରେ କ୍ଷମତା ପରିବର୍ତନ ହୋଇଥିଲା।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ