
ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦିଲ୍ଲୀ-ଏନସିଆରରେ ଯାତାୟାତକୁ ସୁଗମ କରିବା ଏବଂ ଯାତ୍ରୀମାନଙ୍କ ସୁବିଧା ବଢ଼ାଇବା ଉଦ୍ଦେଶ୍ୟରେ ଏନଏଚ-୧୪୮ଏନଏର ଡିଏନଡି-ସୋହନା ଖଣ୍ଡରେ ଅବସ୍ଥିତ ସରାୟ କାଲେ ଖାଁ ଲୁପ୍କୁ ଭିଡମୁକ୍ତ କରିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛି।
କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଅନୁଯାୟୀ, ସରାୟ କାଲେ ଖାଁ ଦିଲ୍ଲୀର ସବୁଠାରୁ ବ୍ୟସ୍ତ ପରିବହନ କେନ୍ଦ୍ରମାନଙ୍କ ମଧ୍ୟରୁ ଗୋଟିଏ। ଏହି ଲୁପ୍ ଆଶ୍ରମ, ନୋଏଡା ଏବଂ ସରାୟ କାଲେ ଖାଁରୁ ଆସୁଥିବା ଯାତାୟାତ ପାଇଁ ଏକ ପ୍ରମୁଖ ସଂଯୋଗ ସ୍ଥଳ। ଡିଏନଡି-ସୋହନା ଜାତୀୟ ରାଜପଥ କରିଡର କାର୍ଯ୍ୟକ୍ଷମ ହେବା ପରେ ଏଠାରେ ଯାନବାହନର ଚାପ ଆହୁରି ବଢ଼ିବାର ସମ୍ଭାବନା ରହିଛି, ଯାହାକୁ ଦୃଷ୍ଟିରେ ରଖି ଏନଏଚଏଆଇ ପ୍ରାଥମିକତା ଭିତିରେ ଏହାର ଦୀର୍ଘକାଳୀନ ଇଞ୍ଜିନିୟରିଂ ସମାଧାନ ଖୋଜିବ। ଡିପିଆରରେ ଜଙ୍କସନର କ୍ଷମତା ବୃଦ୍ଧି, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଯାତ୍ରା ସମୟ କମାଇବା ପାଇଁ ଆବଶ୍ୟକ ଭିତିଭୂମିଗତ ପରିବର୍ତନର ମୂଲ୍ୟାଙ୍କନ କରାଯିବ। ଡିଏନଡି-ସୋହନା କରିଡର ଆରମ୍ଭ ହେବା ପରେ ସରାୟ କାଲେ ଖାଁ ଇଂଟରଚେଞ୍ଜରେ ଯାତାୟାତ ବିନା ବାଧାରେ ଚାଲିପାରିବ ବୋଲି ସୁନିଶ୍ଚିତ କରାଯିବ। ଏହା ସହିତ, ବଢ଼ୁଥିବା ଯାତାୟାତ ପରିଚାଳନା ଏବଂ ଇଞ୍ଜିନିୟରିଂ ସମାଧାନର ଗଭୀର ବିଶ୍ଳେଷଣ କରାଯିବ। ଏନଏଚଏଆଇ ଅନୁଯାୟୀ, ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହରୀୟ ସଂଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା, ସଡ଼କ ବ୍ୟବହାରକାରୀଙ୍କ ଯାତ୍ରା ଅନୁଭୂତିକୁ ଅଧିକ ସୁଖଦ କରିବା ଏବଂ ଭାରି ଟ୍ରାଫିକର ସ୍ଥାୟୀ ସମାଧାନ ପ୍ରଦାନ କରିବା।
----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ