
କାଠମାଣ୍ଡୁ, ୨୮ ଜୁଲାଇ (ହି.ସ.)- ନେପାଳର ସୁନସରୀ ଜିଲ୍ଲାର ଦେୱାନଗଞ୍ଜରେ ଘଟିଥିବା ଘଟଣାର ପ୍ରତିବାଦରେ ଆନ୍ଦୋଳନରେ ନାମିଥିବା ଗୋଷ୍ଠୀ ମଙ୍ଗଳବାର ମଧ୍ୟ ପୂର୍ବ-ପଶ୍ଚିମ ରାଜପଥକୁ ଅବରୋଧ କରି ରଖିଥିଲେ। ପ୍ରଦର୍ଶନକାରୀମାନେ ସୁନସରୀ ଖଣ୍ଡର ବିଭିନ୍ନ ସ୍ଥାନରେ ଟାୟାର ଜାଳି ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନକାରୀମାନେ ବିରାଟନଗରରେ ମଧ୍ୟ ବିରୋଧ ପ୍ରଦର୍ଶନ କରୁଛନ୍ତି। ବଜାର ଅଂଚଳରେ ଏକତ୍ରିତ ହୋଇଥିବା ଯୁବକମାନେ ସରକାରଙ୍କ ବିରୋଧରେ ଜୋରଦାର ସ୍ଲୋଗାନ ଦେଇଥିଲେ।
ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସୁନସରୀର ପ୍ରବକ୍ତା ଡିଏସପି ଚନ୍ଦ୍ରବହାଦୁର ଖଡ୍କାଙ୍କ ଅନୁସାରେ, ରାଜପଥର ପକଲିରୁ କୋଶୀ ବ୍ୟାରେଜ୍ ଅଂଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି। ସେ କହିଛନ୍ତି ଯେ, ପ୍ରମୁଖ ଛକଗୁଡ଼ିକରେ ଲୋକମାନେ ଏକତ୍ରିତ ହୋଇ ପ୍ରଦର୍ଶନ କରୁଛନ୍ତି। ପରିସ୍ଥିତି ଉତେଜନାପୂର୍ଣ୍ଣ ହେବା ପରେ ସ୍ଥାନୀୟ ପ୍ରଶାସନ ଇଟାହରୀରୁ ପଶ୍ଚିମକୁ ଯାଉଥିବା ଯାନବାହନକୁ ଅଟକାଇ ଦେଇଛି। ତେବେ ଦେୱାନଗଞ୍ଜରେ ବର୍ତମାନ ପରିସ୍ଥିତି ସ୍ୱାଭାବିକ ହେଉଛି।
କପ୍ତାନଗଞ୍ଜରେ ରବିବାର ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ କରିଥିବା ଗୁଳିଚାଳନାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା, ଯେତେବେଳେ ୨୧ ଜଣ ଆହତ ହୋଇଥିଲେ। ଘଟଣା ପରେ ପରିସ୍ଥିତିକୁ କାବୁ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଦକ୍ଷିଣ ଅଂଚଳର ପାଂଚଟି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା। ଏହା ସତ୍ୱେ ମଧ୍ୟ କର୍ଫ୍ୟୁ ଉଲ୍ଲଂଘନ କରି ସୋମବାର ସାରାଦିନ ପ୍ରଦର୍ଶନ ଜାରି ରହିଥିଲା। ମଙ୍ଗଳବାର ମଧ୍ୟ କର୍ଫ୍ୟୁ ଜାରି ରହିଛି।
---------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ