
ଗ୍ଲାସଗୋ, ୨୮ ଜୁଲାଇ (ହି.ସ.)- ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ୨୦୨୬ରେ ସୋମବାର ପୁରୁଷ ହାଇ ଜମ୍ପ ପ୍ରତିଯୋଗିତାର ଫାଇନାଲ ସମୟରେ ଭାରତୀୟ ଆଥଲେଟ୍ ତେଜସ୍ୱିନ ଶଙ୍କରଙ୍କୁ ନେଇ ଆଧିକାରିକ ଫଳାଫଳ ୱେବସାଇଟ୍ର ଏକ ବଡ଼ ତ୍ରୁଟି ଯୋଗୁଁ ଭ୍ରମର ପରିସ୍ଥିତି ସୃଷ୍ଟି ହୋଇଥିଲା। ୱେବସାଇଟ୍ରେ ତାଙ୍କୁ ଡିଏନଏସ୍ (ଡିଡ୍ ନଟ୍ ଷ୍ଟାର୍ଟ) ବୋଲି ଦେଖାଯାଇଥିଲା, ଯେତେବେଳେ ସିଧାସଳଖ ପ୍ରସାରଣରେ ସେ ସ୍କଟ୍ସଟାଉନ ଷ୍ଟାଡିୟମରେ ପ୍ରତିଯୋଗିତା ପାଇଁ ଉପସ୍ଥିତ ଥିବା ଦେଖାଯାଇଥିଲେ।
ଆରମ୍ଭରେ ୱେବସାଇଟ୍ର ଏହି ତ୍ରୁଟି ଯୋଗୁଁ ଲାଗିଥିଲା ଯେ ଭାରତ ପକ୍ଷରୁ ଫାଇନାଲରେ କେବଳ ଦୁଇଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। କିନ୍ତୁ କିଛି ସମୟ ପରେ ତେଜସ୍ୱିନ ଶଙ୍କର ତାଙ୍କ ସହଖେଳାଳି ସର୍ବେଶ କୁଶାରେ ଏବଂ ଜେ. ଆଦର୍ଶ ରାମଙ୍କ ସହ ମଇଦାନରେ ନଜର ଆସିଥିଲେ, ଯାହାରୁ ସ୍ପଷ୍ଟ ହୋଇଥିଲା ଯେ ୱେବସାଇଟ୍ରେ ଡିଏନଏସ୍ ଦେଖାଯିବା ଏକ ପ୍ରାଯୁକ୍ତିକ ତ୍ରୁଟି ଥିଲା।
ତେଜସ୍ୱିନ ୨.୦୫ ମିଟର ପ୍ରାରମ୍ଭିକ ଉଚ୍ଚତାରୁ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ, କିନ୍ତୁ ପ୍ରଥମ ପ୍ରୟାସରେ ବାର୍ ଅତିକ୍ରମ କରିପାରିନଥିଲେ। ପ୍ରୟାସ ପରେ ମ୍ୟାଟ୍ରେ ଅବତରଣ କରିବା ସମୟରେ ସେ ଅସ୍ୱସ୍ଥତା ଅନୁଭବ କରିଥିଲେ ଏବଂ ଆହତ ହୋଇଥିବା ଭଳି ଦେଖାଯାଇଥିଲେ। ଏହା ପରେ ସେ ପ୍ରତିଯୋଗିତାରୁ ଓହରିଯିବାକୁ ନିଷ୍ପତି ନେଇଥିଲେ ଏବଂ ତାଙ୍କର ହାଇ ଜମ୍ପ ଫାଇନାଲ ସମୟ ପୂର୍ବରୁ ଶେଷ ହୋଇଯାଇଥିଲା।
ବର୍ତମାନ ପର୍ଯ୍ୟନ୍ତ ତାଙ୍କ ଆଘାତର ଗୁରୁତରତାକୁ ନେଇ କୌଣସି ଆଧିକାରିକ ସୂଚନା ସାମ୍ନାକୁ ଆସିନାହିଁ। ଏହା ମଧ୍ୟ ସ୍ପଷ୍ଟ ନୁହେଁ ଯେ ଏହି ଆଘାତର ପ୍ରଭାବ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରେ ତାଙ୍କର ଆଗାମୀ ଡେକାଥଲନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ଉପରେ ପଡ଼ିବ କି ନାହିଁ।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ