
ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ଭାରତୀୟ କ୍ରିକେଟ୍ କଂଟ୍ରେ।।ଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଅଗଷ୍ଟ ମାସରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦୁଇଟି ମ୍ୟାଚ୍ର ଟେଷ୍ଟ ସିରିଜ୍ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରିଛି। ଦଳର ନେତୃତ୍ୱ ପୁଣିଥରେ ଶୁଭମନ ଗିଲଙ୍କ ହାତରେ ରହିବ, ଯେତେବେଳେ କେ.ଏଲ୍. ରାହୁଲଙ୍କୁ ଉପଅଧିନାୟକ କରାଯାଇଛି।
ଏହି ଦଳରେ ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ମଧ୍ୟପ୍ରଦେଶର ଅଭିଜ୍ଞ ଅଫ୍ ସ୍ପିନ୍ ଅଲରାଉଣ୍ଡର ସାରାଂଶ ଜୈନଙ୍କର ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ଚୟନ। ୩୩ ବର୍ଷୀୟ ସାରାଂଶଙ୍କୁ ୱାଶିଂଟନ ସୁନ୍ଦରଙ୍କ ହାମଷ୍ଟ୍ରିଙ୍ଗ ଆଘାତ ପାଇବା ପରେ ସୁଯୋଗ ମିଳିଛି। ଘରୋଇ କ୍ରିକେଟ୍ ଏବଂ ଇଣ୍ଡିଆ ‘ଏ’ ପାଇଁ ଲଗାତାର ଉତ୍କୃଷ୍ଟ ପ୍ରଦର୍ଶନ ବଳରେ ସେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।
ଅନ୍ୟପକ୍ଷରେ, ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କର ମଧ୍ୟ ଦଳକୁ ପ୍ରତ୍ୟାବର୍ତନ ହୋଇଛି। ତାଙ୍କୁ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇଥିଲା।
ଦ୍ରୁତ ବୋଲର ଜସପ୍ରିତ ବୁମରାହ ଏବଂ ବ୍ୟାଟର ସାଇ ସୁଦର୍ଶନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି, କିନ୍ତୁ ଉଭୟଙ୍କର ଚୟନ ବିସିସିଆଇର ସେଂଟର ଅଫ୍ ଏକ୍ସିଲେନ୍ସ (ସିଓଇ) ଠାରୁ ଫିଟନେସ୍ ଅନୁମୋଦନ ମିଳିଲେ ହିଁ କାର୍ଯ୍ୟକାରୀ ହେବ। ଅନ୍ୟପକ୍ଷରେ, ଆଘାତ କାରଣରୁ ପୁନର୍ବାସରେ ଥିବା ନିତୀଶ କୁମାର ରେଡ୍ଡୀଙ୍କୁ ଦଳରେ ସ୍ଥାନ ମିଳିନାହିଁ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ୧୫ ଅଗଷ୍ଟରୁ ଗଲ୍ରେ ଖେଳାଯିବ, ଯେତେବେଳେ ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ୨୩ ଅଗଷ୍ଟରୁ କଲମ୍ବୋର ଏସ୍ଏସ୍ସିରେ ହେବ। ଭାରତ ଶେଷ ଥର ୨୦୧୭ରେ ଶ୍ରୀଲଙ୍କା ଗସ୍ତ କରିଥିଲା, ଯେଉଁଠାରେ ସେ ଆୟୋଜକ ଦଳକୁ ୩-୦ରେ ପରାସ୍ତ କରିଥିଲା।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ