
ଗୌହାଟୀ, ଜୁଲାଇ 29 (ହି.ସ)। ଆସାମର ମୁଖ୍ୟମନ୍ତ୍ରୀ ଡଃ ହିମାନ୍ତ ବିଶ୍ୱ ଶର୍ମା ଗତକାଲି ରାତିରେ ଫେସବୁକ୍ ଲାଇଭ୍ ମାଧ୍ୟମରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରିଲିଫ ପଦକ୍ଷେପ ଘୋଷଣା କରିଥିଲେ।
ବନ୍ୟାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ମୋଟ ନଅ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିମଧ୍ୟରୁ ରାଜ୍ୟ ସରକାର ଚାରି ଲକ୍ଷ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ସହାୟତା ପାଇଁ ଶବ ବ୍ୟବଚ୍ଛେଦ ଆବଶ୍ୟକ ହେବ ନାହିଁ।
ଡଃ ଶର୍ମା ସୂଚନା ଦେଇଛନ୍ତି ଯେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉଦାର ବ୍ୟକ୍ତି ଏବଂ ଅନୁଷ୍ଠାନମାନଙ୍କ ଠାରୁ 26 କୋଟି 58 ଲକ୍ଷ ଟଙ୍କାର ଯୋଗଦାନ ମିଳିଛି।
ବନ୍ୟା ଦ୍ୱାରା ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ମାର୍କସିଟ୍ ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିସହ, ସ୍କୁଲ ୟୁନିଫର୍ମ କିଣିବା ପାଇଁ ପ୍ରଭାବିତ ବିଦ୍ୟାଳୟଗୁଡ଼ିକୁ ପାଣ୍ଠି ପୁନଃ ଯୋଗାଇ ଦିଆଯିବ ଏବଂ ମାଗଣା ପାଠ୍ୟପୁସ୍ତକ ମଧ୍ୟ ପୁନଃ ବଣ୍ଟନ କରାଯିବ।
ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଅଧୀନରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ 1,000 ଟଙ୍କା, ସ୍ନାତକ ଛାତ୍ରଛାତ୍ରୀଙ୍କୁ 3,000 ଟଙ୍କା ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ 5,000 ଟଙ୍କା ଦିଆଯିବ।
ଯେଉଁ ପରିବାରଗୁଡ଼ିକର ଘର, ପୋଖରୀ, ହସ୍ତତନ୍ତ ଏବଂ କୃଷି ଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କୁ ମଧ୍ୟ ସରକାର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବେ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଥିଲେ ଯେ ଉପର ଆସାମର ବନ୍ୟା ପ୍ରଭାବିତ ପରିବାରକୁ ତୁରନ୍ତ ସହାୟତା ଭାବେ ୧୫୦୦୦ ଟଙ୍କା ଦିଆଯିବ। 3ରୁ 4 ଦିନ ମଧ୍ୟରେ ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ।
ଏହାବ୍ୟତୀତ, ଶିବସାଗର, ଚରାଇଦେଓ, ଜୋରହାଟ ଏବଂ ଗୋଲାଘାଟ ଜିଲ୍ଲାର ଅରୁଣୋଦୟ ଯୋଜନାର ହିତାଧିକାରୀମାନଙ୍କୁ ଏଥର 1,250 ବଦଳରେ 2,500 ଟଙ୍କା ଦିଆଯିବ। ଏହି ରାଶି ଅଗଷ୍ଟ 3 ପରିବର୍ତ୍ତେ ଅଗଷ୍ଟ 1 ତାରିଖରେ ହିଁ ସେମାନଙ୍କ ଆକାଉଣ୍ଟରେ ଜମା ହେବ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା