
ଭୋପାଳ, ୨୯ ଜୁଲାଇ (ହି.ସ.) - ଦେଶରେ ସର୍ବାଧିକ ବାଘ ଥିବା ରାଜ୍ୟ ମଧ୍ୟ ପ୍ରଦେଶ ଆନ୍ତର୍ଜାତୀୟ ବାଘ ଦିବସ ଅବସରରେ ବନ୍ୟଜୀବ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତାକୁ ନୂତନ ସଙ୍କଳ୍ପ ସହ ପୁନର୍ବ୍ୟକ୍ତ କରିଛି। ଭୋପାଳର କୁଶାଭାଉ ଠାକରେ ସଭାଗୃହରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ବୁଧବାର ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ସ୍ପଷ୍ଟ କରିଥିଲେ ଯେ, ରାଜ୍ୟ ବାଘ ସଂରକ୍ଷଣ କ୍ଷେତ୍ରରେ ନିରନ୍ତର ନୂତନ କୀର୍ତିମାନ ସ୍ଥାପନ କରୁଛି। ବର୍ଷ ୨୦୨୨ର ଗଣନା ଅନୁସାରେ ରାଜ୍ୟରେ ୭୮୫ଟି ବାଘ ଥିଲେ ଏବଂ ଆଗାମୀ ଗଣନାରେ ଏହି ସଂଖ୍ୟା ଏକ ହଜାର ନିକଟରେ ପହଂଚିବାର ସମ୍ଭାବନା ରହିଛି।
ଡ଼. ଯାଦବ କହିଥିଲେ ଯେ, ମଧ୍ୟ ପ୍ରଦେଶ ଆଜି ଦେଶରେ ବାଘ ସଂରକ୍ଷଣର ସବୁଠାରୁ ଶକ୍ତିଶାଳୀ କେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟର ବନ ସମ୍ପଦ, ସଂରକ୍ଷିତ ଅଂଚଳ ଏବଂ ବନ ବିଭାଗର ସମର୍ପିତ ପ୍ରୟାସ ବାଘମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିଛି। ସେ ଏହାକୁ ବନ ବିଭାଗ, ସ୍ଥାନୀୟ ସମୁଦାୟ ଏବଂ ଜନସହଭାଗିତାର ଏକ ବଡ଼ ସଫଳତା ବୋଲି କହିଥିଲେ।
ସମାରୋହ ସମୟରେ ମୁଖ୍ୟମନ୍ତ୍ରୀ ବନ୍ୟଜୀବ ସଂରକ୍ଷଣ କାର୍ଯ୍ୟକଳାପ ଉପରେ ଆଧାରିତ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ସଂରକ୍ଷଣ କାର୍ଯ୍ୟ ପାଇଁ ଉପଲବ୍ଧ କରାଯାଇଥିବା ବିଶେଷ ଯାନଗୁଡ଼ିକର ଲୋକାର୍ପଣ କରିଥିଲେ। ସେ ରାତାପାନୀ ଟାଇଗର ରିଜର୍ଭର ସରକାରୀ ଲୋଗୋର ଉନ୍ମୋଚନ କରିବା ସହ ପେଂଚ ଆଡଭାନ୍ସଡ୍ ୱାର୍ଣ୍ଣିଂ ସିଷ୍ଟମର ଶୁଭାରମ୍ଭ କରିଥିଲେ। ଜୈବ ବିବିଧତା ଏବଂ ବନ୍ୟଜୀବ ସଂରକ୍ଷଣ ଉପରେ ଆଧାରିତ ପୁସ୍ତିକାମାନଙ୍କର ମଧ୍ୟ ବିମୋଚନ କରାଯାଇଥିଲା। ସକ୍ରିୟ ବନ୍ୟଜୀବ ପରିଚାଳନା ସହ ସମ୍ବନ୍ଧିତ ବୃତିଚିତ୍ରମାନଙ୍କର ଟିଜର ଜାରି କରି ସଂରକ୍ଷଣ ଅଭିଯାନକୁ ଲୋକଙ୍କ ପାଖକୁ ପହଂଚାଇବାର ସନ୍ଦେଶ ଦିଆଯାଇଥିଲା।
--------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ