
ନୂଆଦିଲ୍ଲୀ, ୨୯ ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା-୨୦୨୬ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାରୋତୋଳକ ହରଜିନ୍ଦର କୌର ଏବଂ ଧାବକ ଗୁଲବୀର ସିଂହଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆ ମଂଚ ‘ଏକ୍ସ’ରେ ନିଜ ସନ୍ଦେଶରେ ମହିଳାମାନଙ୍କ ୬୯ କିଲୋଗ୍ରାମ ଭାର ବର୍ଗରେ ରୌପ୍ୟ ପଦକ ଜିତିବା ପାଇଁ ହରଜିନ୍ଦର କୌରଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ହରଜିନ୍ଦରଙ୍କ ଏହି ପ୍ରଦର୍ଶନ ତାଙ୍କର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ଥିଲା, ଯାହା ବିଶେଷ ଭାବରେ ଉଲ୍ଲେଖନୀୟ। ସେ କହିଛନ୍ତି ଯେ, ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରେ ଭାରତୀୟ ଭାରୋତୋଳକ ମାନଙ୍କ ଚମତ୍କାର ପ୍ରଦର୍ଶନ ଦେଶ ପାଇଁ ଗର୍ବର ବିଷୟ। ହରଜିନ୍ଦରଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା।
ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପୁରୁଷମାନଙ୍କ ୧୦,୦୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଗୁଲବୀରଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଗ୍ଲାସଗୋରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ଥିଲା। ସେ କହିଛନ୍ତି ଯେ, ଗୁଲବୀରଙ୍କ ପ୍ରତିବଦ୍ଧତା ଓ ସମର୍ପଣ ପ୍ରଶଂସନୀୟ ଏବଂ ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଉଲ୍ଲେଖନୀୟ ଯେ, ଆଥଲେଟିକ୍ସରେ ଗୁଲବୀର ପୁରୁଷମାନଙ୍କ ୧୦,୦୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବାବେଳେ, ହରଜିନ୍ଦର କୌର ମହିଳାମାନଙ୍କ ୬୯ କିଲୋଗ୍ରାମ ଭାର ବର୍ଗରେ ମୋଟ ୨୨୭ କିଲୋଗ୍ରାମ ଭାର ଉଠାଇ ଦ୍ୱିତୀୟ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।
---------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ