
ଭଦ୍ରକ, ୧୦ ଅଗଷ୍ଟ (ହି.ସ.) - ଆଗରପଡା ନିକଟସ୍ଥ କାଦବରାଙ୍ଗ ପଂଚାୟତ ଅଧିନ ବାଙ୍କତୀରା ରାମମନ୍ଦିର ଠାରୁ ପହିସାହି (ଖଜିରା) ପର୍ଯ୍ୟନ୍ତ ଗ୍ରାମ କଚ୍ଚା ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ବଢି ପାଣିରେ ରାସ୍ତାଟି ଧୋଇଯାଇ ଆଣ୍ଠୁଏ ଉଚ୍ଚତାରେ କାଦୁଆ ଯୋଗୁ ଏକାଧିକ ପରିବାର ଯିବା ଆସିବା କରିବା କଷ୍ଟକର ହୋଇପଡିଛି । ବୃଦ୍ଧ ବୃଦ୍ଧା, ଛାତ୍ରଛାତ୍ରୀ, ଚାଷୀ,ଗୋରୁଗାଈ ପର୍ଯ୍ୟନ୍ତ ସମସ୍ତେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ରାସ୍ତାର ଏହି ଦୂରାବସ୍ଥା ସମସ୍ତଙ୍କୁ ସମସ୍ୟାରେ ପକାଇଛି । ପଂଚାୟତର ଦୁଇ ଗୋଟି ପୋଖରୀ, ବସୁଧା ଯୋଜନାରେ ପାଣି ଟାଙ୍କି ଉକ୍ତ ରାସ୍ତା ପାଶ୍ୱର୍ରେ ରହିଥିବା ବେଳେ ଟାଙ୍କିର ଯନ୍ତ୍ରାଶଂ ଖରାପ ହେଲେ ଅଟୋଟିଏ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇଥାଏ । ରସ୍ତାର ଉପର ଅଂଶ ଧୋଇଯିବା ଯୋଗୁ ଏପରି ଅବସ୍ଥା ହୋଇଥିବା ଜଣାଯାଇଛି । ଏଥିପ୍ରତି ତୁରନ୍ତ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ପୂର୍ବତନ ସମିତିସଭ୍ୟ ରମେଶ ପହି, ବସନ୍ତ ଦାସ, ଚୈତନ୍ୟ ମଲ୍ଲିକ, ଗଣେଶ ଦାସ, ବୁଧଦେବ ମଲ୍ଲିକ, ଫକୀର ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ