
ଭୁବନେଶ୍ବର , 10 ଅଗଷ୍ଟ (ହି.ସ.) -ସମ୍ୱଲପୁରରେ ଗତକାଲି ଆୟୋଜିତ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମକୁ ନେଇ ସରକାରୀ ପ୍ରୋଟୋକଲର ଉଲ୍ଲଙ୍ଘନ ହୋଇଛି । ସରକାରୀ କାର୍ଯ୍ୟକ୍ରମର ମଞ୍ଚରେ ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ ଏବଂ ଦଳୀୟ ପଦବୀରେ ଥିବା ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କୁ ସ୍ଥାନ ଦିଆଯିବାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ତୀବ୍ର ଆପତ୍ତି ଉଠାଇଛନ୍ତି ।
ରୋହିତ ପୂଜାରୀ କହିଥିଲେ ଯେ, ସରକାରୀ କାର୍ଯ୍ୟକ୍ରମ କୌଣସି ରାଜନୈତିକ ଦଳର ସଭା କିମ୍ୱା ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ନୁହେଁ । ଏଭଳି କାର୍ଯ୍ୟକ୍ରମରେ ସାମ୍ୱିଧାନିକ ପଦବୀ, ନିର୍ବାଚିତ ପ୍ରତିନିଧି ଓ ସରକାରୀ ପ୍ରୋଟୋକଲକୁ ଗୁରୁତ୍ୱ ମିଳିବା ଆବଶ୍ୟକ । କିନ୍ତୁ ଗତକାଲିର ତ୍ରିରଙ୍ଗା ଯାତ୍ରାରେ ପ୍ରୋଟୋକଲର ଧର୍ଜିଆ ଉଡ଼ାଯାଇ ସରକାରୀ ମଞ୍ଚକୁ ଦଳୀୟ ମଞ୍ଚ ଭଳି ବ୍ୟବହାର କରାଯାଇଥିଲା । ଯେତେବେଳେ ସାଂସଦ ନିଜେ ମଞ୍ଚରେ ଉପସ୍ଥିତ ଅଛନ୍ତି, ସେତେବେଳେ ତାଙ୍କ ପ୍ରତିନିଧି ନାଉରୀ ନାୟକ କେଉଁ ଅଧିକାର, କେଉଁ ନିୟମ ଏବଂ କେଉଁ ପ୍ରୋଟୋକଲ ଆଧାରରେ ସେହି ସରକାରୀ ମଞ୍ଚରେ ବସିଲେ? କୌଣସି ରାଜନୈତିକ ଦଳର ଜିଲ୍ଲା ସଭାପତି କିମ୍ୱା ଦଳୀୟ ପଦାଧିକାରୀଙ୍କୁ ସରକାରୀ କାର୍ଯ୍ୟକ୍ରମର ମଞ୍ଚରେ କେଉଁ ପ୍ରୋଟୋକଲ ଅନୁସାରେ ସ୍ଥାନ ଦିଆଗଲା, ତାହା ପ୍ରଶାସନ ସ୍ପଷ୍ଟ କରିବା ଆବଶ୍ୟକ । ଯଦି ସରକାରୀ ମଞ୍ଚରେ ଦଳୀୟ ପଦାଧିକାରୀଙ୍କୁ ଏଭଳି ଭାବରେ ସ୍ଥାନ ଦିଆଯାଏ, ତେବେ ଆଗାମୀ ଦିନରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ମଧ୍ୟରେ ଥିବା ପାର୍ଥକ୍ୟ ରହିବ ନାହିଁ । ସରକାରୀ ମଞ୍ଚକୁ ଯଦି ଶାସକ ଦଳର ରାଜନୈତିକ ମଞ୍ଚରେ ପରିଣତ କରାଯାଏ, ଏହା କେବଳ ପ୍ରୋଟୋକଲର ଉଲ୍ଲଙ୍ଘନ ନୁହେଁ, ସରକାରୀ ବ୍ୟବସ୍ଥାର ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିବ ।
ଶ୍ରୀ ପୂଜାରୀ ଆହୁରି କହିଥିଲେ ଯେ, ତ୍ରିରଙ୍ଗା ଯାତ୍ରାରେ ବ୍ୟବହୃତ କେତେକ ଜାତୀୟ ପତାକାରେ ଅଶୋକ ଚକ୍ର ନଥିଲା । ଜାତୀୟ ପତାକା କେବଳ ଏକ କପଡ଼ା ନୁହେଁ, ଏହା ଦେଶର ସାର୍ବଭୌମତ୍ୱ, ଗଣତନ୍ତ୍ର, ଏକତା ଓ ଗୌରବର ପ୍ରତୀକ । ତେଣୁ ଜାତୀୟ ପତାକା ବ୍ୟବହାର କରିବା ସମୟରେ ନିର୍ଦ୍ଧାରିତ ନିୟମ ଓ ମର୍ଯ୍ୟାଦାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବା ଦରକାର । ଦେଶଭକ୍ତି ନାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯଦି ଜାତୀୟ ପତାକାର ନିର୍ଦ୍ଧାରିତ ରୂପ ଓ ମର୍ଯ୍ୟାଦାକୁ ଅଣଦେଖା କରାଯାଏ, ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଶାସନ ଏଭଳି ଘଟଣାକୁ ଗୁରୁତ୍ୱର ସହ ନେଇ ଯାଞ୍ଚ କରିବା ଆବଶ୍ୟକ ।ତେଣୁ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲର ସଠିକ୍ ପାଳନ, ଜାତୀୟ ପତାକାର ମର୍ଯ୍ୟାଦା ଏବଂ ପ୍ରଶାସନିକ ନିରପେକ୍ଷତା ନିଶ୍ଚିତ କରିବାକୁ ଶ୍ରୀ ପୂଜାରୀ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା