
ମାଲକାନଗିରି, ୧୦ ଅଗଷ୍ଟ (ହି.ସ.)- ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଅଯୋଧ୍ୟାରୁ ଆସିଥିବା ବ୍ରହ୍ମଚାରୀ ଶ୍ରୀ ସୀତା ରମଣ ଦାସ ମାଲକାନଗିରି ସ୍ଥିତ ମଲ୍ଲିକେଶ୍ୱର ଏବଂ ଏମଭି ୩ ସ୍ଥିତ ଶିବ ମନ୍ଦିରରେ ଜଳାଭିଷେକ କରିଥିଲେ। ସେ ୧୫ ଦିନ ପୂର୍ବେ ଅଯୋଧ୍ୟାରୁ ବାହାରି ପବିତ୍ର ସରଜୁ, ମନ୍ଦାକିନୀ ଏବଂ ଗଙ୍ଗା ନଦୀର ଜଳ ସଂଗ୍ରହ କରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଝାଡ଼ଖଣ୍ଡ ଦେଇ ମାଲକାନଗିରିରେ ପହଞ୍ଚିଥିଲେ। ବର୍ତମାନଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର,, କର୍ଣ୍ଣାଟକ ହୋଇ ତାମିଲନାଡୁରେ ପହଞ୍ଚିବା ପରେ ୨୪ ଅଗଷ୍ଟରେ ରାମେଶ୍ୱର ଧାମରେ ଜଳାଭିଷେକ କରି ଯାତ୍ରା ସମ୍ପୂର୍ଣ କରିବେ। ଅଯୋଧ୍ୟାରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ପ୍ରାୟ ୬୫ଟି ଶିବ ମନ୍ଦିର ଅର୍ଥାତ ଯେଉଁ ରାସ୍ତା ଦେଇ ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଶ୍ରୀଲଙ୍କା ଯାଇଥିଲେ(ରାମ ବନପଥ ଗମନ ମାର୍ଗ )ସେହି ରାସ୍ତାରେ ଯାଇ ସେ ପବିତ୍ର ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କରିବେ। ତିନି ବର୍ଷ ପୂର୍ବେ ଶ୍ରୀ ସୀତା ରମଣ ଦାସ ଅଯୋଧ୍ୟାରୁ ଶ୍ରୀଲଙ୍କା ରାମ ବନପଥ ଗମନ ମାର୍ଗ ଦେଇ ପଦଯାତ୍ରା କରିଥିବା ବେଳେ ମାଲକାନଗିରି ଆସିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ