ଜିଲ୍ଲାପାଳଙ୍କ ବାଗମୁଣ୍ଡା ଓ କୁରେମାଲ ପଥପ୍ରାନ୍ତ କେନ୍ଦ୍ର ପରିଦର୍ଶନ
Collector review at Bagmunda and Kuremal
Collector review at Bagmunda and


ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଲଖନପୁର ବ୍ଲକର ବାଗମୁଣ୍ଡାସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଡକ୍ଟର ପୁଷ୍ପଶ୍ରୀ ନାୟକ, ଲଖନପୁର ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଡେପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୌମ୍ୟେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ବାଗମୁଣ୍ଡାସ୍ଥିତ ଏହି କେନ୍ଦ୍ରଟି 'ମା' ଶାରଦା ଏସଏଚଜି' ଦ୍ୱାରା ପରିଚାଳିତ ହୋଇଆସୁଛି। ଗସ୍ତ କାଳରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କେନ୍ଦ୍ରର ବିଭିନ୍ନ ସୁବିଧା ସୁଯୋଗ ବୁଲି ଦେଖିବା ସହ ଦୈନନ୍ଦିନ ପରିଚାଳନା କାର୍ଯ୍ୟର ସମୀକ୍ଷା କରିଥିଲେ। ସେମାନେ ଏସଏଚଜିର ସଦସ୍ୟାମାନଙ୍କ ସହ ସିଧାସଳଖ ଆଲୋଚନା କରି ସେବା ଯୋଗାଣ, ରକ୍ଷଣାବେକ୍ଷଣ, ସ୍ୱଚ୍ଛତା, ଗ୍ରାହକ ସନ୍ତୋଷ ଏବଂ ଆୟ ବୃଦ୍ଧିକାରୀ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ। ଏସଏଚଜି ସଦସ୍ୟାମାନେ କେନ୍ଦ୍ରର କାର୍ଯ୍ୟକାରିତା, ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଭବିଷ୍ୟତରେ ଆୟ ବୃଦ୍ଧି ପାଇଁ ଥିବା ଯୋଜନା ବିଷୟରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ପଥଚାରୀ ଓ ପର୍ଯ୍ୟଟକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବା ସହ କେନ୍ଦ୍ରର ସୁପରିଚାଳନା ପାଇଁ ଜିଲ୍ଲାପାଳ ଏସଏଚଜି ମହିଳାମାନଙ୍କ ପ୍ରଚେଷ୍ଟାକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ପରିବେଶ ଅନୁକୂଳ ସୌର ଶକ୍ତିର ବ୍ୟବହାର ପାଇଁ ଏସଏଚଜି ମହିଳାମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ସୌର ଶକ୍ତି ଭଳି ଅକ୍ଷୟ ଶକ୍ତିକୁ ଆପଣାଇବା ଦ୍ୱାରା ବୈଦ୍ୟୁତିକ ଖର୍ଚ୍ଚ ହ୍ରାସ ପାଇବା ସହ ଏହି ସୁବିଧା କେନ୍ଦ୍ରଟି ଏକ ପରିବେଶ-ଉପଯୋଗୀ ଓ ସ୍ଥାୟୀ ମଡେଲ୍ ରେ ପରିଣତ ହୋଇପାରିବ ବୋଲି ସେମାନେ ପ୍ରକାଶ କରିଥିଲେ। ଓଏଲ୍ଏମ୍ ଡିପିଏମ୍ ଏବଂ ବିଡିଓ ମହିଳାମାନଙ୍କୁ କେନ୍ଦ୍ରର ସ୍ୱଚ୍ଛତା ବଜାୟ ରଖିବା ଏବଂ କେନ୍ଦ୍ର ମାଧ୍ୟମରେ ଅତିରିକ୍ତ ଜୀବିକା ସୁଯୋଗ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ଜିଲ୍ଲାପାଳ କୁରେମାଲ ସ୍ଥିତ ଅନ୍ୟ ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱ ସମରବଗାର 'ମା' ମାଣିକେଶ୍ୱରୀ ଏସଏଚଜି'କୁ ଦିଆଯାଇଥିଲେ ହେଁ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ଜିଲ୍ଲାପାଳ ଏହାର ଭିତ୍ତିଭୂମି ସମୀକ୍ଷା କରିବା ସହ ଆବଶ୍ୟକୀୟ ପ୍ରସ୍ତୁତି ଶୀଘ୍ର ଶେଷ କରି ଅତି ଶୀଘ୍ର କେନ୍ଦ୍ରଟିକୁ କାର୍ଯ୍ୟକ୍ଷମ କରିବାକୁ ସମ୍ପୃକ୍ତ ଏସଏଚଜି ସଦସ୍ୟାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande