
ସମ୍ବଲପୁର, ୧୦ ଅଗଷ୍ଟ (ହି.ସ.)- ସାଇବର ଠକେଇ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଥିବା ସମ୍ବଲପୁର ଜିଲ୍ଲା ପୋଲିସ ଅନ୍ତର୍ଗତ ଟାଉନ୍ ଥାନାରେ ୭୪/୨୬ରେ ହୋଇଥିବା ମାମଲା ତଥା ଜିଆର୍ କେସ୍ ନମ୍ବର ୫୩୨/୨୬ରେ ସୋନପୁରର ୩୨ ବର୍ଷିୟ ଅଭିଯୁକ୍ତ ଗୌରୀ ଶଙ୍କର ଦାଶକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତଥାକଥିତ ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତା ମ୍ୟୁଲ୍ ଆକାଉଣ୍ଟରେ ବ୍ୟବହୃତ ତଥା ସାଇବର ଠକେଇ ସମ୍ପର୍କିତ ମୋଟ ୩୩ ହଜାର ୫୫୦ ଟଙ୍କାର ଆର୍ଥିକ କାରବାର ସହ ଜଡ଼ିତ ଥିବା ଜଣାପଡ଼ିଥିଲା। ଏହି ମାମଲାକୁ ବିଚାରପତି ବ୍ରିଜେଶ ମିଶ୍ର ଶୁଣାଣି କରି ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୭(୨)/୧୧୨(୨) ଅନୁଯାୟୀ ଅଭିଯୁକ୍ତକୁ ପ୍ରତ୍ୟେକ ଧାରାରେ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି ।
ମ୍ୟୁଲ୍ ଆକାଉଣ୍ଟ ସମ୍ପର୍କରେ ଯାହା ଜଣାଯାଏ, ସାଇବର ଅପରାଧୀମାନେ ଠକେଇରେ ହାସଲ କରୁଥିବା ଅବୈଧ ଟଙ୍କା ଗ୍ରହଣ, ସ୍ଥାନାନ୍ତର କିମ୍ବା ଲୁଚାଇବା ପାଇଁ ବିଶେଷ କରି ଅନ୍ୟମାନଙ୍କ ବ୍ୟାଙ୍କ ଖାତା ବ୍ୟବହାର କରିଥାଆନ୍ତି। ଏହିପରି ବ୍ୟବହୃତ ବ୍ୟାଙ୍କ ଖାତାକୁ ‘ମ୍ୟୁଲ୍ ଆକାଉଣ୍ଟ’ କୁହାଯାଏ। ଯାହାକି ଦୋଷୀ ସାବ୍ୟସ୍ତ ଗୌରୀ ଶଙ୍କର ଦାଶଙ୍କ ବ୍ୟାଙ୍କ ଜମା ଖାତାରେ ଅବୈଧ ହିସାବ ଯୁକ୍ତ ଟଙ୍କା ଦେଣନେଣ ହୋଇଥିବା ଜଣାପଡିଥିଲା । ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଭାବେ ପ୍ରତ୍ୟେକ ଲୋକଙ୍କୁ ନିଜ ବ୍ୟାଙ୍କ ଖାତା କାହାକୁ ଧାର ଦେବା, ଭଡ଼ାରେ ଦେବା କିମ୍ବା ଅନ୍ୟ କାହା ସହ ଭାଗ କରିବାରୁ ବିରତ ରହିବାକୁ ସଚେତନ କରାଯାଇଛି। ଏହିପରି କାର୍ଯ୍ୟରେ ଜାଣତରେ ବା ଅଜାଣତରେ ଜଡ଼ିତ ହେଲେ ସାଇବର ଅପରାଧ ପାଇଁ ଆଇନଗତ ଭାବେ ଦାୟୀ ହେବାକୁ ପଡ଼ିପାରେ ବୋଲି ମଧ୍ୟ ପୋଲିସ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
ସହଜରେ ଟଙ୍କା ରୋଜଗାର, ଶୀଘ୍ର ଲାଭ କିମ୍ବା ଆକର୍ଷଣୀୟ ସୁଯୋଗର ପ୍ରଲୋଭନ ଦେଖାଇ ସାଇବର ଠକମାନେ କରୁଥିବା ଫାନ୍ଦରେ ନ ପଡ଼ିବାକୁ ପୋଲିସ ସର୍ବସାଧାରଣଙ୍କୁ ସଚେତନ କରିବା ସହିତ ସୁରକ୍ଷିତ ରୁହନ୍ତୁ ବୋଲି ପରାମର୍ଶ ଦେଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ