
ସମ୍ବଲପୁର, ୧୦, ଅଗଷ୍ଟ (ହି.ସ.) ସମ୍ବଲପୁର ସହରର ଅଇଁଠାପାଲି ଥାନା ପୋଲିସ ରାଧାରାଣୀ ବିହାର, ଭାଲୁପାଲି ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର କଫ୍ ସିରପ ଜବତ କରିଛି। ଏହି ଘଟଣାରେ ମନୋଜ ମେହେର (୩୬)କୁ ଗିରଫ କରିଛି। ଅଇଁଠାପାଲି ଥାନା କେସ୍ ନଂ-୨୩୫, ତାରିଖ ୧୦.୦୮.୨୦୨୬, ଏନଡିପିଏସ୍ ଆକ୍ଟର ଧାରା ୨୧(ବି)/୨୯ରେ ମାମଲା ରୁଜୁ ହୋଇଛି।
ଏସ୍ପି ସମ୍ବଲପୁର ଓ ଏସ୍ଡିପିଓ ସଦରଙ୍କ ନିର୍ଦ୍ଦେଶରେ ଇନ୍ସପେକ୍ଟର ଯୁବରାଜ ସ୍ୱାଇଁଙ୍କ ନେତୃତ୍ୱରେ ଗଠିତ ଟିମ୍ ୦୯ ଅଗଷ୍ଟ ଦିନ ପ୍ରାୟ ୨ଟାରେ ରାଧାରାଣୀ ବିହାର, ଭାଲୁପାଲିରେ ଚଢ଼ାଉ କରିଥିଲା। ମନୋଜ ମେହେରଙ୍କ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଘରୁ କଫ୍ ସିରପ ସମେତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା।
ପୁଲିସ ୬୫ ପ୍ୟାକେଟ୍ ଓ୍ବିନସରେକ୍ସ କଫ୍ ସିରପ ଜବତ କରିଛି। ପ୍ରତି ପ୍ୟାକେଟ୍ରେ ୩୦ଟି ୧୦୦ ଏମ୍ଏଲ୍ ବୋତଲ ଥିବାରୁ ମୋଟ ୧୯୫୦ ବୋତଲ ଜବତ ହୋଇଛି। ଏଥିସହ ଗୋଟିଏ ମୋବାଇଲ ଫୋନ୍ ଓ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ମଧ୍ୟ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବା ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇ ସମ୍ବଲପୁର ସର୍କଲ ଜେଲ୍ରେ ରଖାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ