
କନ୍ଧମାଳ, ୧୦ ଅଗଷ୍ଟ (ହି.ସ.)- ଚଳିତ ୨୦୨୬ ବର୍ଷରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍ ପରୀକ୍ଷାରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ ଗ୍ରାମର ମେଧାବୀ ଛାତ୍ରୀ ଇପ୍ସିନା ଦିଗାଲ ଉଲ୍ଲେଖନୀୟ ସଫଳତା ହାସଲ କରି ପରିବାର, ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ପ୍ରଥମ ପ୍ରଚେଷ୍ଟାରେ ସର୍ବ ଭାରତୀୟ ସ୍ତରରେ ଅନୁସୂଚିତ ଜାତି ବର୍ଗରେ ୧୦୬୪୯ ରେଙ୍କ ହାସଲ କରି କୃତିତ୍ୱ ଅର୍ଜନ କରିବା ସହିତ ଦେଶର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ଏନଆଇଟି ରାଉରକେଲାରେ ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ପାଇଛନ୍ତି। ତାଙ୍କର ଶିକ୍ଷା କୁଡୁତୁଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଭୁବନେଶ୍ଵରରେ ଥିବା ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଥିଲେ। ଇପ୍ସିନାଙ୍କ ପିତା ଅନିଲ କୁମାର ଦିଗାଲ ଓ ମାତା ଲତା ଦିଗାଲ ଝିଅର ସଫଳତାରେ ଅତ୍ୟନ୍ତ ଆନନ୍ଦିତ। ସେ ଏକ ସାଧାରଣ ପରିବାରର ଝିଅ ହୋଇଥିଲେ ମଧ୍ୟ ପରିଶ୍ରମ ଓ ଦୃଢ଼ ସଂକଳ୍ପର ଫଳ ସ୍ଵରୂପ ଏହି ସଫଳତା ମିଳି ଥିବାରୁ ବିଦ୍ୟାଳୟ ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଶ୍ରେୟ ଦେଇଥିବା ବେଳେ କଠିନ ପରିଶ୍ରମ, ନିୟମିତ ଅଧ୍ୟୟନ, ଶିକ୍ଷକଙ୍କ ମାର୍ଗଦର୍ଶନ ଓ ଦୃଢ଼ ଆତ୍ମ ବିଶ୍ୱାସକୁ ସଫଳତାର ମୁଖ୍ୟ ଚାବିକାଠି ବୋଲି ଆଗାମୀ ଛାତ୍ରଛାତ୍ରୀ ଭାଇଭଉଣୀ ମାନଙ୍କୁ ପ୍ରେରଣା ଦେଇଛନ୍ତି। ସେ ଆଗାମୀ ଭବିଷ୍ୟତରେ କେମିକାଲ୍ ଇଞ୍ଜିନିୟରିଂ ପଢ଼ି ଜଣେ ଦକ୍ଷ ଇଞ୍ଜିନିୟର ହେବାର ଲକ୍ଷ୍ୟ ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ