
ଭୁବନ, ୧୦ ଅଗଷ୍ଟ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ କଲେଜ ନିକଟସ୍ଥ ଟୋଲରପଶି ମୌଜାର ସରକାରୀ ଜଙ୍ଗଲ କିସମ ଜମିକୁ କେନ୍ଦ୍ର କରି ପିଙ୍ଗୁଆ ଓ ଟୋଲରପଶି ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ପରେ ଏହି ବିବାଦୀୟ ଜମିରେ ୧୬୩ ଜାରି କରାଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ, ଟୋଲରପଶି ମୌଜାର ଖାତା ନଂ ୪୬୯ ଅଧୀନ ପ୍ଲଟ୍ ନଂ ୪୭୬ ଓ ୪୮୦ ଏବଂ ଖାତା ନଂ ୪୬୬ ଅଧୀନ ପ୍ଲଟ୍ ନଂ ୨୧୬ ମିଶି ମୋଟ ୪.୮୦ ଏକର ସରକାରୀ ଜଙ୍ଗଲ କିସମ ଜମିରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ୪ ଅଗଷ୍ଟରୁ ଦୁଇ ମାସ ପର୍ଯ୍ୟନ୍ତ କଟକଣା ଲଗାଯାଇଛି । ଉକ୍ତ ଜମିରେ ଟୋଲରପଶି ଗ୍ରାମର କିଛି ଲୋକ ବୃକ୍ଷରୋପଣ କରିବା ସହ ଜେସିବି ସହାୟତାରେ ଗାତ ଖୋଳା କାମ କରୁଥିବା ବେଳେ ପିଙ୍ଗୁଆ ଗ୍ରାମବାସୀ ଏହି ଜମି କଲେଜ ବିକାଶ ପାଇଁ ସଂରକ୍ଷିତ ବୋଲି କହି ବୃକ୍ଷ ରୋପଣ, ଗାତ ଖୋଳାକୁ ବିରୋଧ କରିଥିଲେ। ଏହାକୁ ନେଇ ପିଙ୍ଗୁଆ, ଟୋଲରପଶି ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ପରେ ପିଙ୍ଗୁଆ ଗ୍ରାମବାସୀ ଢେ଼ଙ୍କାନାଳ ଜିଲ୍ଲାପାଳ, ସଦର ଉପ ଜିଲ୍ଲାପାଳ, ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ସାକ୍ଷାତ କରି ସରକାରୀ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷ ରୋପଣ ଓ ବେଆଇନ ଜବରଦଖଲକୁ ପ୍ରଶୟ ନଦେବା ଓ ଏହି ଜମିରେ ଷ୍ଟେ ଅର୍ଡର ( ରହିତାଦେଶ ) ଜାରି କରିବାକୁ ଦାବି କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ନିହାଲପ୍ରସାଦ ଥାନା ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା। ଜିଲ୍ଲାପାଳଙ୍କ ଆଦେଶ କ୍ରମେ
ଉପଜିଲ୍ଲାପାଳ ପଦ୍ମ ଚରଣ ସାହୁ ଏହି ବିବାଦୀୟ ଜମି ଉପରେ ବି ଏନ୍ ଏସ ( ଭାରତ ନ୍ୟାୟ ସଂହିତା) ଧାରା ୧୬୩(୨) ନିଷେଧାଜ୍ଞା ଜାରି କରି ଅଗଷ୍ଟ ୪ ଠାରୁ ଆଗାମୀ ଦୁଇ ମାସ ପାଇଁ କୌଣସି ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଛନ୍ତି । ଉପ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ନିହଲ ପ୍ରସାଦ ଥାନା ଆଇ ଆଇ ସି ଧୀରେନ୍ଦ୍ର କୁମାର ସ୍ୱାଇଁ, ଗନ୍ଦିଆ ତହସିଲଦାର ସତ୍ୟଜିତ ମହାପାତ୍ର, ରାଜସ୍ୱ ନିରୀକ୍ଷକ ନିଶିକାନ୍ତ ପାତ୍ର ପୋଲିସ ଫୋର୍ସଙ୍କ ସହଯୋଗରେ ଉକ୍ତ ପ୍ଲଟ ଉପରେ ନାଲି ପତାକା ମାରି ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିହଲ୍ ପ୍ରସାଦ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମୂଳ ପ୍ରସଙ୍ଗ ହେଉଛି ପିଙ୍ଗୁଆ କଲେଜର ଏହି ସରକାରୀ ଜଙ୍ଗଲ କିସମ ଜମିରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଲୋଲୁପ ଦୃଷ୍ଟି ପକାଇ ଜମି ହଡ଼ପ କରିବାକୁ ଯୋଜନା କରିଛନ୍ତି ଓ ସରକାରୀ କଳ ଅଦୃଶ୍ୟ ଶକ୍ତି ଚାପରେ କାର୍ଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଆଗାମୀ ଦିନରେ ପିଙ୍ଗୁଆ - ଟୋଲରପଶି ଗ୍ରାମ୍ୟ ବିବାଦକୁ ନେଇ ଭୟଙ୍କର ସ୍ଥିତି ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ