ଶ୍ରମିକ–କୃଷକଙ୍କ ଦାବିରେ କେନ୍ଦ୍ରାପଡ଼ାରେ ବିଶାଳ ମିଳିତ ବିକ୍ଷୋଭ
କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – ଦେଶର ଶ୍ରମିକ, କୃଷକ, କର୍ମଚାରୀ, ଯୁବକ ଓ ସାଧାରଣ ଲୋକଙ୍କ ଉପରେ ବଢ଼ୁଥିବା ଆର୍ôଥକ ଚାପ, ମହଙ୍ଗାଇ, ବେକାରୀ, ଶ୍ରମ ଅଧିକାର ଉପରେ ଆକ୍ରମଣ ଏବଂ କୃଷକଙ୍କ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତାର ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କେନ
ଶ୍ରମିକ–କୃଷକଙ୍କ ଦାବିରେ କେନ୍ଦ୍ରାପଡାରେ ବିଶାଳ ମିଳିତ ବିକ୍ଷୋଭ


କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – ଦେଶର ଶ୍ରମିକ, କୃଷକ, କର୍ମଚାରୀ, ଯୁବକ ଓ ସାଧାରଣ ଲୋକଙ୍କ ଉପରେ ବଢ଼ୁଥିବା ଆର୍ôଥକ ଚାପ, ମହଙ୍ଗାଇ, ବେକାରୀ, ଶ୍ରମ ଅଧିକାର ଉପରେ ଆକ୍ରମଣ ଏବଂ କୃଷକଙ୍କ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତାର ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ଗୁଡ଼ିକ, ସ୍ୱାଧୀନ କ୍ଷେତ୍ରଭିତିକ ଫେଡେରେସନ୍ଗୁଡ଼ିକ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ସଂପୃକ୍ତ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଏକ ବିଶାଳ ମିଳିତ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ବିକ୍ଷୋଭରେ ବକ୍ତାମାନେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଜନବିରୋଧୀ ଓ କର୍ପୋରେଟ୍ ନୀତି ଯୋଗୁଁ ଦେଶର ଶ୍ରମିକ ଓ କୃଷକଙ୍କ ଜୀବନଜୀବିକା ଗଭୀର ସଙ୍କଟରେ ପଡ଼ିଛି। ମହଙ୍ଗାଇ ଓ ବେକାରୀ ବଢ଼ିବା ସହିତ ଶ୍ରମିକଙ୍କ ମଜୁରୀ ଓ ନିଯୁକ୍ତିର ସୁରକ୍ଷା ଦୁର୍ବଳ ହେଉଛି। ଅନ୍ୟପକ୍ଷରେ କୃଷକମାନେ ଉତ୍ପାଦିତ ଫସଲର ନ୍ୟାୟସଙ୍ଗତ ମୂଲ୍ୟ ନପାଇବାରୁ କୃଷି ସଙ୍କଟ ଆହୁରି ଗଭୀର ହେଉଛି। ତେଣୁ ଶ୍ରମିକ, କୃଷକ ଓ ସାଧାରଣ ଜନତାଙ୍କ ଐକ୍ୟବଦ୍ଧ ଆନ୍ଦୋଳନ ମାଧ୍ୟମରେ ଏହି ଜନବିରୋଧୀ ନୀତିର ପରିବର୍ତନ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସେମାନେ ଆହ୍ୱାନ ଜଣାଇଥିଲେ। ବକ୍ତାମାନେ ଶ୍ରମିକ ବିରୋଧୀ ଚାରିଟି ଶ୍ରମ କୋଡ୍ ପ୍ରତ୍ୟାହାର କରି ଶ୍ରମିକଙ୍କ ଅଧିକାର ଓ ସୁରକ୍ଷା ପୁନର୍ବାହାଲ କରିବାକୁ ଦାବି କରିଥିଲେ। ସେହିପରି ଶ୍ରମିକ ବିରୋଧୀ ଅଧ୍ୟାଦେଶ ଓ ଆଇନ୍ଗୁଡ଼ିକ ପ୍ରତ୍ୟାହାର କରି ଶ୍ରମିକଙ୍କ ଗଣତାନ୍ତ୍ରିକ ଓ ଶ୍ରମ ଅଧିକାର ସୁରକ୍ଷିତ କରିବା ସହିତ ସମସ୍ତଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ନିଶ୍ଚିତ କରିବା ଏବଂ ସରକାର, ସରକାରୀ ନିଗମ ଓ ଅନ୍ୟାନ୍ୟ ସଂସ୍ଥାରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବାକୁ ଦାବି ହୋଇଥିଲା। ମହଙ୍ଗାଭତା ସହ ସଂଯୁକ୍ତ କରି ମାସିକ ସର୍ବନିମ୍ନ ମଜୁରୀ ୪୨,୦୦୦ ଟଙ୍କା ଧାର୍ଯ୍ୟ କରିବା ଏବଂ ସମସ୍ତ ସ୍କିମ୍ କର୍ମୀଙ୍କୁ ଶ୍ରମିକର ମାନ୍ୟତା ଦେଇ ଉପଯୁକ୍ତ ମଜୁରୀ ଓ ସାମାଜିକ ସୁରକ୍ଷା ଦେବା ପାଇଁ ମଧ୍ୟ ଦାବି କରାଯାଇଥିଲା। କୃଷକମାନଙ୍କ ସମସ୍ୟା ଉପରେ ବକ୍ତାମାନେ କହିଥିଲେ ଯେ, ସମସ୍ତ ଫସଲ ପାଇଁ ସି-୨ ଖର୍ଚ୍ଚର ଦେଢ଼ଗୁଣା ଦର, ଅର୍ଥାତ୍ ସି-୨+୫୦%, ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍ପି ନିର୍ଦ୍ଧାରଣ କରି ଏହାକୁ ଆଇନଗତ ଗ୍ୟାରେଂଟି ଦେବା ଆବଶ୍ୟକ। କୃଷକ ଓ ଶ୍ରମିକ ବିରୋଧୀ ବହୁ ମୁକ୍ତ ବାଣିଜ୍ୟ ଚୁକ୍ତିଗୁଡ଼ିକ ପ୍ରତ୍ୟାହାର କରିବା ସହିତ କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ସୁରକ୍ଷା ଦେବାକୁ ସେମାନେ ଦାବି କରିଥିଲେ। ମନରେଗାକୁ ପୁନରୁଦ୍ଧାର ଓ ସୁଦୃଢ଼ କରି ଗ୍ରାମାଂଚଳରେ ବର୍ଷକୁ ଅତି କମରେ ୨୦୦ ଦିନର କାମ ଏବଂ ଦୈନିକ ୭୦୦ ଟଙ୍କା ମଜୁରୀ ନିଶ୍ଚିତ କରିବାକୁ ମଧ୍ୟ ଦାବି ଉଠିଥିଲା। ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ନ୍ୟୁନତମ ମାସିକ ପେନସନ୍ ୬,୦୦୦ ଟଙ୍କା କରିବା, କୃଷକ, ଶ୍ରମିକ ଓ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ସମ୍ପ୍ରସାରଣ କରିବା ଏବଂ ସମସ୍ତଙ୍କ ପାଇଁ ଜୀବିକାର ସୁରକ୍ଷା ନିଶ୍ଚିତ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଥିଲେ। ମହଙ୍ଗା ନିୟନ୍ତ୍ରଣ କରି ଖାଦ୍ୟ, ଔଷଧ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର କମାଇବା ସହିତ ସାର୍ବଜନୀନ ବଂଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଅଧିକ ମଜବୁତ କରିବା ଏବଂ ଯୁବପିଢ଼ି ପାଇଁ ନୂତନ ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ଦାବି କରାଯାଇଥିଲା। ସରକାରୀ ସଂସ୍ଥା ଓ ସମ୍ପତିର ବେସରକାରୀକରଣ ଏବଂ ନ୍ୟାସନାଲ୍ ମନିଟାଇଜେସନ ପାଇପଲାଇନ୍–୨.୦ ବନ୍ଦ କରିବା ପାଇଁ ଦାବି କରି ବକ୍ତାମାନେ କହିଥିଲେ ଯେ, ଦେଶର ସାର୍ବଜନୀନ ସମ୍ପତିକୁ କର୍ପୋରେଟ୍ ସ୍ୱାର୍ଥରେ ହସ୍ତାନ୍ତର କରିବା ଦେଶର ଅର୍ଥନୈତିକ ଓ ସାମାଜିକ ସ୍ୱାର୍ଥ ପାଇଁ କ୍ଷତିକାରକ। ତେଣୁ ସାର୍ବଜନୀନ ସଂସ୍ଥାଗୁଡ଼ିକୁ ସୁରକ୍ଷିତ ଓ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ଆବଶ୍ୟକ ବୋଲି ସେମାନେ ମତପ୍ରକାଶ କରିଥିଲେ। ଏହି ବିକ୍ଷୋଭରେ ମହିଳା, ଶିଶୁ ଓ ସଂଖ୍ୟାଲଘୁମାନଙ୍କ ଅଧିକାର ସୁରକ୍ଷା କରିବା, ଜନବିରୋଧୀ ଓ କଳା ଆଇନଗୁଡ଼ିକ ପ୍ରତ୍ୟାହାର କରିବା ଏବଂ ଶ୍ରମିକ, କୃଷକ ଓ ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଓ ଜୀବିକାର ସୁରକ୍ଷା ନିଶ୍ଚିତ କରିବା ପାଇଁ ମଧ୍ୟ ଦୃଢ଼ ଦାବି ଉଠିଥିଲା। ବିକ୍ଷୋଭ ସମାବେଶରେ ଆଇ ଏନଟିୟୁସି ନେତା ମୁକ୍ତାର ଖାଁ ସଭାପତିତ୍ୱ କରିଥିଲେ। ବକ୍ତବ୍ୟ ରଖିଥିଲେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲା ଆବାହକ ଗୟାଧର ଧଳ, ଏଆଇଟିୟୁସି ନେତା ରମଣି ରଂଜନ ରାଉତରାୟ, ବାବାଜୀ ଧଳ, କିଷାନ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ସିଆଇଟିୟୁ ନେତା ଜଗତାଜୀବନ ଦାଶ, ମାଧବ ଦାସ, ଅଧ୍ୟାପକ ଅଜୟ ସାମଲ, କର୍ମଚାରୀ ନେତା ନରୋତମ ପାର୍ଥ ସାରଥୀ, ଓଡ଼ିଶା କୃଷକ ସଭା ନେତା କାଳୀପ୍ରସାଦ ନାୟକ, ବିଜୟ ଦାସ, ସୋମନାଥ ବିଶ୍ୱାଳ, ଶ୍ରମିକ ନେତା ପ୍ରକାଶ ମହାନ୍ତି, ଅଜିତ ପରିଡ଼ା, ଆଇଏନ୍ଟିୟୁସି ନେତା ଫକୀର ଖଟୁଆ, ବସନ୍ତ କୁମାର ସେଠି, ଏଚ୍ଏମ୍ଏସ୍ ନେତା ତ୍ରିଲୋଚନ ଦାସ, ଏଇକେଏସ୍ ନେତା ଆଦିକନ୍ଦ ରାଉଳ, କିଷାନ କଂଗ୍ରେସ ନେତା ମହେନ୍ଦ୍ର ପରିଡ଼ା, ଏଏଇ କେକେଏମ୍ଏସ୍ ନେତା ପ୍ରକାଶ ମଲିକ, ଶ୍ରୀକାନ୍ତ ଲେଙ୍କା, ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ରାୟ, କେଦାର ସାମନ୍ତରାୟ, ଅକ୍ଷୟ ତରାଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande