
ନୂଆଦିଲ୍ଲୀ, ଅଗଷ୍ଟ 10 (ହି.ସ): ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଉନ୍ନତ ଜାତୀୟ ଯୁବ ସଂସଦ ଯୋଜନା (ଏନ. ୱାଇ. ପି. ଏସ.) ୱେବ ପୋର୍ଟାଲ ଏନୱାଇପିଏସ 2.0 ଜରିଆରେ 2026 ମସିହା ଜୁଲାଇ 21 ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ୧୦୩୭୯୧ ଛାତ୍ରଛାତ୍ରୀ ଏବଂ ନାଗରିକମାନେ ଯୁବ ସଂସଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।
ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ସୋମବାର ଦିନ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ଯେ ମନ୍ତ୍ରଣାଳୟ 11 ସେପ୍ଟେମ୍ବର 2024 ରେ ଏନୱାଇପିଏସ 2.0 ର ଶୁଭାରମ୍ଭ କରିଛି। ପୁରୁଣା ପୋର୍ଟାଲ କେବଳ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନର ଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥିବାବେଳେ ନୂତନ ପୋର୍ଟାଲକୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ, ଗୋଷ୍ଠୀ ଏବଂ ନାଗରିକଙ୍କ ପାଇଁ ଖୋଲାଯାଇଛି।
11 ସେପ୍ଟେମ୍ବର 2024 ରୁ 21 ଜୁଲାଇ 2026 ପର୍ଯ୍ୟନ୍ତ 4,939 ପଞ୍ଜୀକରଣ ସଂସ୍ଥାଗତ ବର୍ଗରେ ହୋଇଥିଲା ଏବଂ 1,611 ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ 54,518 ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଗୋଷ୍ଠୀ ବର୍ଗରେ 732ଟି ପଞ୍ଜୀକରଣ କରାଯାଇଥିଲା ଏବଂ 26ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ 982 ଜଣ ନାଗରିକ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଡକ୍ଟର ମୁରୁଗାନ ସୂଚନା ଦେଇଥିଲେ ଯେ ଯୁବ ସଂସଦ ଯୋଜନାର ପ୍ରସାର ବଢ଼ାଇବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ଏବଂ ସିବିଏସଇ ଏବଂ ସିଆଇଏସସିଇ ସମେତ ବିଭିନ୍ନ ଶିକ୍ଷା ବୋର୍ଡକୁ ଚିଠି ପଠାଇଛି। ଏହି ଯୋଜନା ସମ୍ବନ୍ଧୀୟ ପ୍ରଚାର ଭିଡିଓ ଟ୍ୟୁଟୋରିଆଲ୍ ମଧ୍ୟ ସମୟ ସମୟରେ ସଂସଦ ଟିଭିରେ ପ୍ରସାରିତ ହେଉଛି |
ସେ ସୂଚନା ଦେଇଛନ୍ତି ଯେ ବିଭିନ୍ନ ମନ୍ତ୍ରଣାଳୟର 42ଟି ପରାମର୍ଶଦାତା କମିଟିର ବିବରଣୀ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ମ୍ୟାନେଜମେଣ୍ଟ ସିଷ୍ଟମ (ସିସିଏମଏସ) ପୋର୍ଟାଲରେ ଉପଲବ୍ଧ। ଅଂଶୀଦାରମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସିସିଏମଏସ ପୋର୍ଟାଲକୁ ସମୟ ସମୟରେ ଡିଜିଟାଲ୍ ଭାବେ ଉନ୍ନତ କରାଯାଇଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା