
ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସେଣ୍ଟ ମେରୀ ସ୍କୁଲ ପରିସରରେ କୃମିନାଶକ ଦିବସର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଶିଶୁ ଏବଂ କିଶୋର-କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁନୀଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାସହିତ ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଉପ-ପ୍ରବନ୍ଧକ ଏବଂ ସହକାରୀ ପ୍ରକଳ୍ପ ପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବଟିକା ସେବନ କରାଇଥିଲେ।
ଏହି ଅବସରରେ ଡାକ୍ତର ସୁନୀଲ ପଣ୍ଡା ଏହାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ୱଚ୍ଛତା ଏବଂ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସମସ୍ତ ପିଲାଙ୍କୁ ନିରାପଦ ଭାବେ ଏହି ଔଷଧ ସେବନ କରାଯିବା ସହ ଜିଲ୍ଲାର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସମସ୍ତ ପିଲାଙ୍କୁ ଏହି ବଟିକା ପ୍ରଦାନ କରାଯାଉଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ