


କନ୍ଧମାଳ, ୧୦ ଅଗଷ୍ଟ (ହି.ସ.)- ସରକାରୀ ସ୍କୁଲରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହିତ ସ୍କୁଲର ସାମଗ୍ରିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। 'ଟିଚ୍ କନ୍ଧମାଳ' ନାମକ ଏହି କାର୍ଯ୍ୟକ୍ରମରେ ପ୍ରତି ମାସର ସୋମବାର ଜିଲ୍ଲା ସ୍ତରୀୟ ଜନ ଶୁଣାଣି ପରେ, ଅଧିକାରୀ ମାନେ ବିଭିନ୍ନ ସ୍କୁଲ ପରିଦର୍ଶନ କରି ପାଠପଢ଼ା ସହ ସ୍କୁଲର ସାମଗ୍ରିକ ବ୍ୟବସ୍ଥାର ତଦାରଖ କରିବେ। ଆଜି ଜିଲ୍ଲାପାଳ ବେଦ ଭୂଷଣ ଓ ଏସ୍ପି ରମେନ୍ଦ୍ର ପ୍ରସାଦଙ୍କ ସହ ଅନ୍ୟ ସତର ଜଣ ଅଧିକାରୀ କ.ନୂଆଗାଁ ବ୍ଲକର ୧୪ଟି ପଞ୍ଚାୟତର ୧୭ଟି ବିଭିନ୍ନ ବିଦ୍ୟାଳୟକୁ ଯାଇ ପିଲାମାନଙ୍କ ସହ ସମୟ ବିତାଇବା ସହ ପାଠ ପଢ଼ାଇ ଉଚ୍ଚାଭିଳାସି ହେବା ପାଇଁ ପରାମର୍ଶ ଦେଇଥିଲେ। ସ୍କୁଲ କେବଳ ପାଠପଢ଼ାର କେନ୍ଦ୍ର ନୁହେଁ, ବରଂ ଭବିଷ୍ୟତ ଗଢ଼ିବାର ମୂଳ ଦୁଆର। ଏହାକୁ ଦୃଷ୍ଟିରେ ରଖି ଆଜି ଏଠାରେ ଥିବା ମିଳିତ ଜନଶୁଣାଣୀ ପୂର୍ବରୁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗୋଟିଏ ଲେଖାଏଁ ସ୍କୁଲ ପରିଦର୍ଶନ କରି ପ୍ରାର୍ଥନା ଠାରୁ ଆରମ୍ଭ କରି ଶ୍ରେଣୀ ଗୃହରେ ପାଠପଢ଼ା, ମଧ୍ୟାହ୍ନ ଭୋଜନର ମାନ, ପରିଷ୍କାର ପରିଚ୍ଛନ୍ନତା, ଶୌଚାଳୟର ସୁବିଧା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ସ୍କୁଲର ସାମଗ୍ରିକ ପରିବେଶକୁ ଅନୁଧ୍ୟାନ କରିବା ସହ ଶିକ୍ଷକ ଓ ପିଲାମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ବେଦ ଭୂଷଣ ସିର୍ତ୍ତିଗୁଡା ସ୍ଵର୍ଣ୍ଣପୁର ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଶ୍ରେଣୀ ଗୃହରେ ବସି ପାଠପଢ଼ାର ସ୍ଥିତି ଅନୁଧ୍ୟାନ କରିଥିଲା ବେଳେ ଆରକ୍ଷୀ ଅଧିକ୍ଷକ କୁଡୁତୁଲି ଓଏଭିକୁ ଯାଇ ପାଠ ପଢ଼ାଇବା ସହ ଉଚ୍ଚ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ପିଲା ମାନଙ୍କୁ ପ୍ରେରଣା ଦେଇଥିଲେ। ଏଥିସହ ଆଇଏଏସ୍ ଓ ଆଇପିଏସ୍ ପରି ଉଚ୍ଚ ପଦବୀ ପାଇଁ କିପରି ପ୍ରସ୍ତୁତି କରିବା ଉଚିତ ସେ ସମ୍ପର୍କରେ ପିଲାମାନଙ୍କୁ ମାର୍ଗଦର୍ଶନ ଦେବା ସହ ଶିକ୍ଷକ ମାନଙ୍କୁ କେବଳ ଶିକ୍ଷାଦାନରେ ସୀମିତ ନରଖି ସ୍କୁଲର ମୌଳିକ ସୁବିଧା, ପରିବେଶ, ସ୍ୱଚ୍ଛତା ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ସିଧାସଳଖ ଅନୁଧ୍ୟାନ କରି ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ଏହାର ମୂଳ ଲକ୍ଷ୍ୟ ବୋଲି କହିଥିଲେ।
ଜିଲ୍ଲାପାଳଙ୍କ ଏହି ଅଭିନବ ପ୍ରୟାସକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନେ ସ୍ୱାଗତ କରିଥିବା ବେଳେ ପ୍ରଶାସନର ଶୀର୍ଷ ଅଧିକାରୀ ମାନେ ସିଧାସଳଖ ସ୍କୁଲକୁ ଯାଇ ପିଲାମାନଙ୍କ ସହ ସମୟ ବିତାଇବା ଏବଂ ସମସ୍ୟା ବୁଝିବା ଫଳରେ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ