
ନୂଆପଡ଼ା,୧୦ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ସ୍ଥିତ ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ଆଜି ପଲ୍ଲୀ ବିକାଶ କାର୍ଯ୍ୟାଳୟ ପରିସରରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏଥିରେ ବୋଡ଼େନ ଓ ଖଡ଼ିଆଳ ବ୍ଲକର ବହୁ ପ୍ରଗତିଶୀଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନେତୃମଣ୍ଡଳୀ ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଭକାଳୁ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଲ୍ଲୀ ବିକାଶର ବାର୍ଷିକ କାର୍ଯ୍ୟକ୍ରମ, ଗତ ବର୍ଷର ସଫଳତା ଓ ଆଗାମୀ ଦିନର କାର୍ଯ୍ୟଯୋଜନା ଉପରେ ଆଲୋଚନା ହୋଇଥିଲା। ଅଧ୍ୟକ୍ଷ ତାଙ୍କ ଅଭିଭାଷଣରେ ବାର୍ଷିକ ବିବରଣୀ ଉପସ୍ଥାପନ ସହ ଲୋକଙ୍କ ମତାମତ ଓ ପରାମର୍ଶକୁ ଗୁରୁତ୍ୱ ଦେଇ ଆଗାମୀ କାର୍ଯ୍ୟଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ପଂଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକଙ୍କ ପ୍ରତିନିଧି ଅକ୍ଷୟ ନନ୍ଦ, ସାମ୍ବାଦିକ ମୋତିଲାଲ ବାଗ, ବୋଡ଼େନ ବ୍ଲକ କୃଷି ଅଧିକାରୀ ଦୁଃଖୀରାମ ଟୁଡୁ, ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୁଳପତି ଶମ୍ଭୁକିଶୋର ଦଣ୍ଡସେନା, ଜିଲ୍ଲା ଶ୍ରୀଅନ୍ନ ଅଭିଯାନ ସଂଯୋଜକ ନରସିଂ ଜଗତ, ବୋଡ଼େନ ଆତ୍ମା ଅଧ୍ୟକ୍ଷ ଶୁଭେନ୍ଦୁ ସେଠୀ ଓ ଶିକ୍ଷାବିତ୍ ନନ୍ଦଲାଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ସୁଧାଂଶୁ ଶେଖର ବାରିକ ଗ୍ରାମୀଣ ବିକାଶ, ଚାଷୀଙ୍କ ଆୟ ବୃଦ୍ଧି, ମହିଳା ସଶକ୍ତିକରଣ ଓ ସ୍ୱୟଂନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ପଲ୍ଲୀ ବିକାଶର ସମ୍ପାଦକ ଡ. ସୁରେଶ କୁମାର ରାଉତ ବାର୍ଷିକ ବିବରଣୀ ଉପସ୍ଥାପନ କରି ଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ, ସଫଳତା, ଲୋକଙ୍କ ଜୀବିକା ବିକାଶରେ ସଂଗଠନର ଭୂମିକା ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। କାର୍ଯ୍ୟକ୍ରମରେ ପଲ୍ଲୀ ବିକାଶର ବିଭିନ୍ନ ଯୋଜନାରୁ ସଫଳତା ହାସଲ କରିଥିବା ଉପଭୋକ୍ତାମାନେ ନିଜର ସଫଳତାର କାହାଣୀ ଉପସ୍ଥାପନ କରିଥିଲେ। କୃଷି ଓ ବିଭିନ୍ନ ଜୀବିକାଭିତିକ କାର୍ଯ୍ୟକଳାପ ମାଧ୍ୟମରେ କିପରି ପରିବାରର ଆୟ ବୃଦ୍ଧି ସହ ସାମାଜିକ ଭାବେ ସଶକ୍ତ ହୋଇପାରିଛନ୍ତି, ସେ ସମ୍ପର୍କରେ ସେମାନେ ନିଜ ଅନୁଭୂତି ବାଂଟିଥିଲେ। ଏହି ଅବସରରେ ପଲ୍ଲୀ ବିକାଶର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରିଥିବା ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୨୦ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା। ସହଦେବ ରାଉତ କାର୍ଯ୍ୟକ୍ରମର ମଂଚ ପରିଚାଳନା କରିଥିବା ବେଳେ ଭକ୍ତ ଚରଣ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ