ମୋ ବସ୍ ଭରସାରେ ଆଦର୍ଶ ବିଦ୍ୟାଳୟର ୪୦୦ ଛାତ୍ରଛାତ୍ରୀ
Parents demand for school bus
ମୋ ବସ୍ ଭରସାରେ ଆଦର୍ଶ ବିଦ୍ୟାଳୟର ୪୦୦ ଛାତ୍ରଛାତ୍ରୀ


ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଶିଳ୍ପ ଓ ଖଣି ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ପ୍ରତି ଅବହେଳାର ଏକ ଚିତ୍ର କୋଲାବିରା ବ୍ଲକରୁ ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ପତ୍ରାପାଲି ଛକଠାରେ ପ୍ରତିଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବେ ଯାତାୟାତ ସମସ୍ୟାରେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ପ୍ରଦାନ କରୁଥିବା ଏହି ବିଦ୍ୟାଳୟରେ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ ହୋଇ ବ୍ଲକର ବିଭିନ୍ନ ପଞ୍ଚାୟତର ମେଧାବୀ ଛାତ୍ରଛାତ୍ରୀ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି। ପ୍ରତ୍ୟେକ ଶ୍ରେଣୀରେ ୮୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ଥିବାବେଳେ ବର୍ତ୍ତମାନ ପ୍ରାୟ ୪୦୦ ଜଣ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି।

ତେବେ ବିଦ୍ୟାଳୟରେ ହଷ୍ଟେଲ ସୁବିଧା ନଥିବାରୁ ଛାତ୍ରଛାତ୍ରୀଙ୍କ ଦୈନିକ ଯାତାୟାତ ଏକ ବଡ଼ ସମସ୍ୟା ପାଲଟିଛି। ସରକାରଙ୍କ ଦୁଇଟି ‘ମୋ ବସ୍’ ସମେତ ଘରୋଇ ଯାତ୍ରୀବାହୀ ବସ୍ ଉପରେ ନିର୍ଭର କରି ଛାତ୍ରଛାତ୍ରୀମାନେ ସ୍କୁଲ ଯିବାଆସିବା କରୁଛନ୍ତି। ଫଳରେ ବସ୍ ରେ ଅତ୍ୟଧିକ ଭିଡ଼ ମଧ୍ୟରେ ସେମାନଙ୍କୁ ଯାତ୍ରା କରିବାକୁ ପଡୁଥିବା ଅଭିଯୋଗ ହୋଇଛି। ବ୍ଲକର ବିଭିନ୍ନ ପଞ୍ଚାୟତର ଅଭ୍ୟନ୍ତରୀଣ ଅଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀମାନେ ପ୍ରଥମେ ୯ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ନିଜ ନିଜ ଗ୍ରାମରୁ ଆସିବା ପରେ ବିଭିନ୍ନ ସ୍ଥାନରୁ ବସ୍ ଧରି ବିଦ୍ୟାଳୟକୁ ଯାଉଛନ୍ତି। ଏହି ଯାତାୟାତ ବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀଙ୍କ ମୂଲ୍ୟବାନ ସମୟ ନଷ୍ଟ ହେଉଥିବା ସହ ସେମାନେ ମାନସିକ ଚାପ ଓ ଅଶାନ୍ତି ମଧ୍ୟରେ ରହୁଥିବା ଅଭିଭାବକମାନେ କହିଛନ୍ତି। ଯାତାୟାତ ସମସ୍ୟା ଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଉନଥିବା ବେଳେ, ନାମ ଲେଖାଇଥିବା କେତେକ ଛାତ୍ରଛାତ୍ରୀ ମଧ୍ୟ ଟିସି ନେଇ ବିଦ୍ୟାଳୟ ଛାଡ଼ି ଦେଉଥିବା ଅଭିଯୋଗ ହୋଇଛି। ଏହା ଆଦର୍ଶ ବିଦ୍ୟାଳୟର ମୂଳ ଉଦ୍ଦେଶ୍ୟକୁ ପ୍ରଭାବିତ କରୁଥିବା ଅଭିଭାବକମାନେ ମତ ଦେଇଛନ୍ତି।

ବିଦ୍ୟାଳୟକୁ ବିଭିନ୍ନ ରୁଟ୍ ରୁ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ୫ଟି ସ୍କୁଲ ବସ୍ ଯୋଗାଇ ଦେବାକୁ ଅଭିଭାବକମାନେ ଇତିମଧ୍ୟରେ ଦୁଇ ଥର ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଭାବେ ଦାବି ଜଣାଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଗୁଡ଼ିଗାଁର ଅଭିଭାବକ ପ୍ରଫୁଲ୍ଲ କାଲୋ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଖଣି ଓ ଶିଳ୍ପ ବହୁଳ ଝାରସୁଗୁଡ଼ା ଜିଲ୍ଲାରେ ପେରିଫେରି ଫଣ୍ଡ ରେ ଅର୍ଥର ଅଭାବ ନଥିବା ବେଳେ ପ୍ରଶାସନ ଇଚ୍ଛାଶକ୍ତି ପ୍ରଦର୍ଶନ କଲେ ଏହି ସମସ୍ୟାର ସହଜ ସମାଧାନ ହୋଇପାରିବ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ନିରାପଦ ଓ ସୁବିଧାଜନକ ଯାତାୟାତ ସହ ଶିକ୍ଷାରେ ବାଧା ଦୂର କରିବା ପାଇଁ ଯଥାଶୀଘ୍ର ବିଭିନ୍ନ ରୁଟ୍ ରେ ୫ଟି ସ୍କୁଲ ବସ୍ ଯୋଗାଇ ଦେବାକୁ ଅଭିଭାବକ ସଂଘ ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande