


ବଲାଙ୍ଗିର, ୧୦ ଅଗଷ୍ଟ (ହି.ସ.)- ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ ଜନସହଭାଗିତାରେ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି।
ନିଷ୍ପତ୍ତି ଅନୁଯାୟୀ, ଅଗଷ୍ଟ ୧୧ରେ ସକାଳ ୧୦ଟାରେ ସର୍କିଟ୍ ହାଉସ୍ ରୁ ତ୍ରିରଙ୍ଗା ମାର୍ଚ୍ଚ ବାହାରି ସରକାରୀ ମହିଳା ମହାବିଦ୍ୟାଳୟରେ ପହଞ୍ଚିବ। ସେଠାରେ ତ୍ରିରଙ୍ଗା କନସର୍ଟ, ଦେଶାତ୍ମବୋଧକ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଅଗଷ୍ଟ ୧୩ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଛାତ୍ରୀଙ୍କ ଦ୍ୱାରା ତ୍ରିରଙ୍ଗା ଥିମ୍ ରେ ରଙ୍ଗୋଲି ପ୍ରଦର୍ଶନୀ ହେବ। ଅଗଷ୍ଟ ୧୪ରେ ଜିଲ୍ଲା ସଂସ୍କୃତି ଭବନରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ହେବ। ଏହି ଅବସରରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଜିଲ୍ଲାର ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳରେ ମଧ୍ୟ ଅଭିଯାନକୁ ସୁଚାରୁ ଭାବେ ପାଳନ ପାଇଁ ବିଭାଗଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ପ୍ରମୁଖ ସରକାରୀ କୋଠା, ଡାକ୍ତରଖାନା, ଛକ, ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ପର୍ଯ୍ୟଟନସ୍ଥଳୀକୁ ତ୍ରିରଙ୍ଗା ଆଲୋକମାଳା ଓ ତୋରଣରେ ସଜାଯିବ। କାର୍ଯ୍ୟକ୍ରମଗୁଡ଼ିକରେ ଶାନ୍ତିଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା, ଆମ୍ବୁଲାନ୍ସ ଓ ବିଦ୍ୟୁତ୍ ଯୋଗାଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା କ୍ରିଡା ଅଧିକାରୀ ହରି ଓମ ଶମ୍ଭୁ ନାରାୟଣ ମିଶ୍ର, କ୍ରିଡାବାସ ଅଧିକ୍ଷକ ପରାସର ବାଗ, ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ବିଭାଗୀୟ ଅଧିକାରୀ ଓ ସମାଜସେବୀ ବୃନ୍ଦ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ