ଧାନ କିଣା ପ୍ରକ୍ରିୟାରୁ ଏସଏଚଜିଙ୍କୁ ବାଦ୍ ଦିଆଯିବା ଅଭିଯୋଗ, ଜିଲ୍ଲାପାଳଙ୍କୁ ଦାବିପତ୍ର
SHG group plea at adm jharsuguda
SHg group


ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଗୁଡ଼ିକୁ ବିନା କୌଣସି ସ୍ପଷ୍ଟ କାରଣ ଦର୍ଶାଇ ଧାନ ପଞ୍ଜୀକରଣ ଓ କ୍ରୟ ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଭିନ୍ନ ଏସଏଚଜିର ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ୟାର ସ୍ଥାୟୀ ସମାଧାନ ସହ ଧାନ କ୍ରୟ ପ୍ରକ୍ରିୟାରେ ପୁନଃ ସାମିଲ କରିବା ଦାବିରେ ସୋମବାର ଏସଏଚଜି ସଦସ୍ୟାମାନେ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଏସଏଚଜି ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୦ ମସିହାରେ ସମବାୟ ସମିତିଗୁଡ଼ିକ ଧାନ କିଣାବିକା ପ୍ରକ୍ରିୟା ବନ୍ଦ କରିବା ପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଡିଏସଡବ୍ଲ୍ୟୁଓ ଓ ଆଇସିଡିଏସ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରୁ ଗୋଟିଏ ଲେଖାଏଁ ଏସଏଚଜିକୁ ଚୟନ କରାଯାଇ ତାଲିମ ଦିଆଯାଇଥିଲା। ପରେ ସେମାନଙ୍କୁ ଧାନ କ୍ରୟ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଗତ ପ୍ରାୟ ୫ ବର୍ଷ ଧରି ମହିଳା ଗୋଷ୍ଠୀଗୁଡ଼ିକ ନିଷ୍ଠାର ସହ ଏହି ଦାୟିତ୍ୱ ତୁଲାଇ ଆସୁଥିବା ଦାବି କରିଛନ୍ତି। ଏହା ଦ୍ୱାରା ଏସଏଚଜିଗୁଡ଼ିକ ଆତ୍ମନିର୍ଭରଶୀଳ ହେବା ସହ ଗ୍ରାମାଞ୍ଚଳର ଚାଷୀମାନେ ମଧ୍ୟ ସୁବିଧାରେ ଧାନ ବିକ୍ରି କରିପାରୁଥିଲେ। ତେବେ ୨୦୨୬-୨୭ ଖରିଫ ଋତୁରେ କୌଣସି ସ୍ପଷ୍ଟ କାରଣ ନଦର୍ଶାଇ ଏହି ଏସଏଚଜିଗୁଡ଼ିକୁ ଧାନ ପଞ୍ଜୀକରଣ ଓ କ୍ରୟ ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହା ସହ ୨୦୨୦ରୁ ୨୦୨୬ ପର୍ଯ୍ୟନ୍ତ ଏସଏଚଜିଗୁଡ଼ିକୁ ମିଳିବାକୁ ଥିବା ଲେବର ଖର୍ଚ୍ଚ ଏବଂ ଗତ ଦୁଇ ବର୍ଷର ଧାନ କିଣାବିକା କମିଶନ ରାଶି ମଧ୍ୟ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି। ଏହା ଫଳରେ ଏସଏଚଜିଗୁଡ଼ିକ ଧାନ କ୍ରୟ ପାଇଁ ପୂର୍ବରୁ କିଣିଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର ନହୋଇ ପଡ଼ିରହିଥିବା ବେଳେ ମହିଳାମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ଦାବି କରିଛନ୍ତି। ଧାନ କ୍ରୟ ପ୍ରକ୍ରିୟାରୁ ବାଦ୍ ପଡ଼ିବା ଯୋଗୁଁ ଏସଏଚଜି ସଦସ୍ୟାଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ମା’ ଲକ୍ଷ୍ମୀ, ଜୟ ମାତାଜୀ, ଅନ୍ନପୂର୍ଣ୍ଣା, ମା’ ତାରିଣୀ, ଭାଗ୍ୟଶ୍ରୀ ଓ ଲକ୍ଷ୍ମୀପ୍ରିୟା ଆଦି ଏସଏଚଜିର କର୍ମକର୍ତ୍ତାମାନେ ଆଗାମୀ ଦିନରେ ଧାନ ପଞ୍ଜୀକରଣ ଓ କ୍ରୟ ପ୍ରକ୍ରିୟାରେ ସେମାନଙ୍କୁ ପୁନଃ ସାମିଲ କରିବା, ବକେୟା ଲେବର ଖର୍ଚ୍ଚ ଓ କମିଶନ ରାଶି ତୁରନ୍ତ ପ୍ରଦାନ କରିବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଏସଏଚଜି ପ୍ରତିନିଧିମାନେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ବ୍ରଜବନ୍ଧୁ ଭୋଇଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଏସଏଚଜି ମହିଳାମାନଙ୍କୁ କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande