
ବଲାଙ୍ଗିର 10 ଅଗଷ୍ଟ (ହି.ସ.)
ଶିଶୁ ଓ କିଶୋର-କିଶୋରୀଙ୍କୁ କୃମି ସଂକ୍ରମଣରୁ ସୁରକ୍ଷା ଦେବା ଲକ୍ଷ୍ୟରେ ଆଜି ବଲାଙ୍ଗୀର ଜିଲ୍ଲାସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ କୃମିନାଶକ ଦିବସ ଅଭିଯାନର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଆଲବେଣ୍ଡାଜୋଲ୍ (Albendazole) ବଟିକା ସେବନ କରାଯାଇ ଅଭିଯାନର ବିଧିବଦ୍ଧ ଶୁଭାରମ୍ଭ କରାଯାଇଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ କୃମିନାଶକ ଔଷଧ ସେବନ କରାଇଥିଲେ। ସୂଚନାଯୋଗ୍ୟ ଯେ, ଏହି ଅଭିଯାନ ଆଜିଠାରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟକାରୀ ହେବ। ଚଳିତ ପର୍ଯ୍ୟାୟରେ ଜିଲ୍ଲାର ସର୍ବମୋଟ ୪,୪୫,୯୯୪ ଜଣ ହିତାଧିକାରୀଙ୍କୁ କୃମିନାଶକ ଔଷଧ ସେବନ କରାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସୁଧା ବର୍ଲା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରୀନା ବେହେରା, ବଲାଙ୍ଗୀର ବ୍ଲକ୍ ଶିକ୍ଷାଧିକାରୀ ଦିଲୀପ କୁମାର ଯୋଶୀ, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ସୁରେନ୍ଦ୍ର କୁମାର ବାବୁ, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଦାଶରଥି ବାଗର୍ତ୍ତୀ ଓ ସନ୍ଧ୍ୟାରାଣୀ ଧରୁଆ, ଜିଲ୍ଲା ଉପ-ପରିଚାଳକ (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ଭଗବାନ ମେହେର, ଜାତୀୟ ସହରାଞ୍ଚଳ ଅତିରିକ୍ତ ପ୍ରକଳ୍ପ ପରିଚାଳକ ରାମାନୁଜ ପଣ୍ଡା, ଟାଉନ୍ ବାଳିକା ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ବଢ଼େଇ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଡା. ସୁଧା ବର୍ଲା ଓ ଦିଲୀପ କୁମାର ଯୋଶୀ କୃମି ସଂକ୍ରମଣର କାରଣ, ଏହାର କୁପ୍ରଭାବ ଏବଂ ନିୟମିତ କୃମିନାଶକ ଔଷଧ ସେବନର ସଚେତନ କରିଥିଲେ। କୃମିନାଶକ ଔଷଧ ସେବନ ଦ୍ୱାରା ଶିଶୁ ଓ କିଶୋର-କିଶୋରୀଙ୍କ ସ୍ୱାସ୍ଥ୍ୟ ଓ ପୋଷଣରେ ଉନ୍ନତି ଆସିବା ସହ ଶାରୀରିକ ବିକାଶ ଏବଂ ଶିକ୍ଷାଗ୍ରହଣ କ୍ଷମତା ବୃଦ୍ଧି ପାଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ପ୍ରାରମ୍ଭରେ ସହାୟକ ପରିଚାଳକ କବୀନ୍ଦ୍ର ଜେନା ଅତିଥିମାନଙ୍କୁ ପରିଚୟ କରାଇବା ସହ ସ୍ୱାଗତ ଜଣାଇଥିବାବେଳେ ଶେଷରେ ପରିସଂଖ୍ୟାନ ଅନୁସନ୍ଧାନକାରୀ ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ସଞ୍ଚାର ଅଧିକାରୀ ମନୋଜ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାରେ ଏହି ମହତ୍ତ୍ୱପୂର୍ଣ୍ଣ ଅଭିଯାନକୁ ସଫଳ ଓ ଫଳପ୍ରଦ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ