
ସୁବର୍ଣ୍ଣପୁର, ୧୦ ଅଗଷ୍ଟ(ହି.ସ.) – ଆସନ୍ତା ଶନିବାର ଦିନ ସାରା ଦେଶରେ ପାଳନ ହେବ ୮୦ତମ ସ୍ୱାଧିନତା ଦିବସ । ଏହି ପରିପ୍ରେକ୍ଷୀରେ ଜାତୀୟ ପତାକାକୁ ଘରେ ଘରେ ସମ୍ମାନ ଦେବାପାଇଁ ଆଜି ବିନିକା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ପାପକ୍ଷୟ ଗେଟ ଠାରୁ ସିଦ୍ଧାର୍ଥ ଡିଗ୍ରୀ କଲେଜ ଗରୁଡ଼ କ୍ୟାମ୍ପସକୁ ଏହି ଶୋଭାଯାତ୍ରା ପହଂଚି ସେଠାରେ ସମ୍ପନ୍ନ ହୋଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା,ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ,ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ସମେତ ଜିଲ୍ଲା ସ୍ତରୀୟ,ବ୍ଲକ ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଶୋଭାଯାତ୍ରା ବେଳେ ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରି ଲୋକଙ୍କୁ ସଚେତନତାର ବାର୍ତା ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ସ୍ଲୋଗାନ ସହ ତ୍ରିରଙ୍ଗା ମୟରେ ସହର ଝଲସି ଉଠିଥିଲା। ଅନୁଷ୍ଟିତ ଏହି ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ/ଶିକ୍ଷୟତ୍ରୀ, ସାମାଜିକ ଅନୁଷ୍ଠାନ କର୍ମକର୍ତା, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା,ଜନସାଧାରଣ ସାମିଲ ହୋଇ ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ