
ନୂଆପଡ଼ା, ୧୦ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍ଏସିର ୨ ନମ୍ବର ୱାର୍ଡରେ ଦୟନୀୟ ଅବସ୍ଥାରେ ପଲିଥିନ ଢଙ୍କା ଘରେ ଦୁଇ ଛୁଆଙ୍କ ସହ ରହୁଥିବା ସବିତା ବଞ୍ଜାରିଙ୍କୁ ମିଳିଛି ସହାୟତା। ସବିତାଙ୍କ ସ୍ୱାମୀ ବିଶାଲ ତାଣ୍ଡି ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏବଂ ପରିବାରର ଦୟନୀୟ ସ୍ଥିତି ସମ୍ପର୍କରେ ଗତ କିଛିଦିନ ତଳେ ଖବର ପ୍ରସାରଣ ହୋଇଥିଲା। ଏହି ଖବର ପ୍ରସାରଣ ପରେ ଆଜି ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା ଓ ତାଙ୍କ କର୍ମକର୍ତ୍ତାମାନେ ସବିତାଙ୍କ ଘରେ ପହଞ୍ଚି ତାଙ୍କୁ ରାସନ କାର୍ଡ ପ୍ରଦାନ କରିବା ସହ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ସେହିପରି ନଗରପାଳ ଶ୍ରୀ ଗୁପ୍ତା ବ୍ୟକ୍ତିଗତ ଭାବେ ସବିତାଙ୍କ ସ୍ୱାମୀ ବିଶାଲ ତାଣ୍ଡିଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହିତ ଆଗାମୀ ଗୋଟିଏ ମାସ ମଧ୍ୟରେ ସବିତାଙ୍କୁ ଏକ ଘର ଯୋଗାଇ ଦିଆଯିବ ବୋଲି ନଗରପାଳ ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘଦିନ ଧରି ଦୟନୀୟ ପରିସ୍ଥିତିରେ ରହୁଥିବା ସବିତାଙ୍କ ପରିବାରକୁ ସହାୟତା ମିଳିବା ପରେ ତାଙ୍କ ମୁହଁରେ ଆଶାର ହସ ଫୁଟିଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ