ସରବାହାଲରେ ଜବରଦଖଲ ବଢ଼ୁଛି, ଟ୍ରାଫିକ୍ ସମସ୍ୟା ଜଟିଳ; ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ସ୍ଥାନୀୟ ବାସିନ୍ଦା
sarbahal-traffic-problem-
ସରବାହାଲରେ ଜବରଦଖଲ ବଢ଼ୁଛି, ଟ୍ରାଫିକ୍ ସମସ୍ୟା ଜଟିଳ; ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ସ୍ଥାନୀୟ ବାସିନ୍ଦା


ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ ସରବାହାଲ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଥିବା ବେଆଇନ ଜବରଦଖଲ ଓ ଟ୍ରାଫିକ୍ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସରବାହାଲର ଗୋକୁଳ ସରବାହାଲ ଠାରୁ ସୁନାରୀମୁଣ୍ଡା ରେଳଫାଟକ ଏବଂ ମିଶ୍ର ପ୍ରେସ୍ ଠାରୁ କ୍ୟାପଟାଉନ୍ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ରାସ୍ତାକଡ଼ରେ ବ୍ୟବସାୟୀ, ଠେଲାଗାଡ଼ି ଓ ଅସ୍ଥାୟୀ ଖାଦ୍ୟ ଦୋକାନୀମାନଙ୍କ ପକ୍ଷରୁ ଜବରଦଖଲ କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜବରଦଖଲ ଯୋଗୁଁ ଅଞ୍ଚଳର ଫୁଟପାଥ୍ ଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ଅବରୋଧ ହୋଇପଡ଼ିଛି। ଫଳରେ ପଥଚାରୀ, ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧାମାନେ ବାଧ୍ୟ ହୋଇ ମୁଖ୍ୟ ରାସ୍ତାରେ ଯାତାୟାତ କରୁଛନ୍ତି। ଏଥିଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି। ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖାଦେଉଥିବାରୁ ଆମ୍ବୁଲାନ୍ସ, ସ୍କୁଲ ବସ୍ ଓ ଅଗ୍ନିଶମ ବାହିନୀର ଗାଡ଼ିଗୁଡ଼ିକ ମଧ୍ୟ ଅଟକି ରହୁଥିବା ଅଭିଯୋଗ ହୋଇଛି। ଏହାସହ ରାସ୍ତାକଡ଼ରେ ଅସ୍ୱାସ୍ଥ୍ୟକର ପରିବେଶ ଏବଂ ନାଳନର୍ଦ୍ଦମା ଅବରୋଧ ଯୋଗୁଁ ରୋଗ ବ୍ୟାପିବାର ଆଶଙ୍କା ନେଇ ମଧ୍ୟ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।

ସ୍ଥାନୀୟ ବାସିନ୍ଦାମାନେ କୌଣସି ବ୍ୟକ୍ତିଙ୍କ ଜୀବିକାର ବିରୋଧୀ ନୁହନ୍ତି ବୋଲି କହିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ରାସ୍ତା ଓ ଫୁଟପାଥ୍ କୁ ଜବରଦଖଲମୁକ୍ତ କରିବାକୁ ଦାବି କରିଛନ୍ତି। ତୁରନ୍ତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରି ଜବରଦଖଲକାରୀଙ୍କୁ ନିର୍ଦ୍ଦିଷ୍ଟ ଭେଣ୍ଡିଂ ଜୋନ୍ କୁ ସ୍ଥାନାନ୍ତର କରିବା ସହ ଏ ଦିଗରେ ଝାରସୁଗୁଡ଼ା ପୌରପାଳିକା ଓ ପୁଲିସ ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଦାବିପତ୍ରରେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି।

ଏ ସମ୍ପର୍କରେ ଝାରସୁଗୁଡ଼ା ପୌର ପରିଷଦର ଇ.ଓ. ନିଶିକାନ୍ତ ଟେଟେଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande