



ବଲାଙ୍ଗିର, 11 ଅଗଷ୍ଟ (ହି.ସ.)
ସ୍ଥାନୀୟ ପି.ପି.ଏକାଡେମୀ ର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ପକ୍ଷରୁ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ଦିନିକିଆ କର୍ମଶାଳା ଦୁଇଟି ଅଧିବେଶନ ରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିରନ୍ତରତା ପାଇଁ ବିଜ୍ଞାନ ଓ ନବସୃଜନ ବିଷୟ ବସ୍ତୁକୁ ନେଇ ଆୟୋଜିତ ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଓ ରୀନା କୁମାରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟରେ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଓ ଜିଜ୍ଞାସା ସୃଷ୍ଟି କରିବା ଶିକ୍ଷକ ମାନଙ୍କର ଏକ ପ୍ରମୁଖ ଦାୟିତ୍ୱ ବୋଲି କହିବା ସହ ପାଠ୍ୟପୁସ୍ତକ ମଧ୍ୟରେ ବିଜ୍ଞାନକୁ ସୀମିତ ନ ରଖି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଚି଼ହ୍ନଟ କରି,ସେଗୁଡିକର କାରଣ ଅନୁଧ୍ୟାନ କରି ବୈଜ୍ଞାନିକ ଓ ନବସୃଜନଶୀଳ ପଦ୍ଧତିରେ ସମାଧାନ ଖୋଜିବା ଦିଗରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ।ଏଡ଼ିଇଓ ସୁଶ୍ରୀ ରୀନା କୁମାରୀ ବେହେରା ନିଜ ବକ୍ତବ୍ୟରେ ଶିଶୁ ମାନଙ୍କ ମନରେ ଛୋଟ ବେଳୁ ବିଜ୍ଞାନ ପ୍ରତି ଆଗ୍ରହ ଓ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ।ବିଷୟ ବିଶେଷଜ୍ଞ ଭାବେ ଆନନ୍ଦ ବଡ଼ପଣ୍ଡା,ଦିଲୀପ ଧଳ,ରାମଗୋପାଳ ଖମାରୀ ଶର୍ମା ଓ ଶିବ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ।ବର୍ଜ୍ୟବସ୍ତୁ ପରିଚାଳନା, ଶକ୍ତି,ଜଳ,ଖାଦ୍ୟ,କୃଷି ଓ ସ୍ୱାସ୍ଥ୍ୟ ସମେତ ଭାରତୀୟ ଜ୍ଞାନ କୌଶଳର ପ୍ରୟୋଗକୁ ଆଧାର କରି ଶିଶୁ ବିଜ୍ଞାନୀ ମାନେ ପ୍ରକଳ୍ପ ପ୍ରସ୍ତୁତ କରିବେ ବୋଲି ସୂଚନା ଦିଆଯାଇଥିଲା।ଶିକ୍ଷାବିତ ସନାତନ ଠାକୁର,ପୂର୍ବତନ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନୀଳମଣି ପଟେଲ,ସରୋଜ ନାୟକ,ନବଘନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ଜିଲ୍ଲା ସଂଯୋଜକ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଉଭୟ ଅଧିବେଶନ ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଦେଇଥିଲେ ପି.ପି.ଏକାଡେମୀ ର ପ୍ରଧାନ ଶିକ୍ଷକ ଦ୍ଵିତୀ ରଞ୍ଜନ ମହାଲିଙ୍ଗ।ପ୍ରଥମ ଅଧିବେଶନ ରେ ୧୩୭ ଓ ଦ୍ଵିତୀୟ ଅଧିବେଶନ ରେ ୧୩୦ ଜଣ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ