
ଜୟପୁର, ୧୧ ଅଗଷ୍ଟ (ହି.ସ.)- ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଏଆଇଟିୟୁସି ଓ ଏଆଇୟୁଟିୟୁସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ଭାରତ ବର୍ଷର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ମିଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ଶ୍ରମ କୋଡ଼ ବାତିଲ୍ କରି ଶ୍ରମ ଆଇନ ଲାଗୁ କରିବା, ସର୍ବନିମ୍ନ ମଜୁରୀ ୨୬୦୦୦/ ଟଙ୍କା ଘୋଷଣା କରିବା, ପାଚିକା ସହାୟିକା, ଅଙ୍ଗନବାଡି, ଆଶା କର୍ମୀ ମାନଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ କରି ସାମାଜିକ ସୁରକ୍ଷା ଯୋଜନା ଲାଗୁ କରିବା, ଦରଦାମ୍ ବୃଦ୍ଧି ରୋକିବା, ସମସ୍ତଙ୍କୁ ମାଗଣା ବିଜ୍ଞାନ ଭିତ୍ତିକ ସମାନ ଶିକ୍ଷା ଦେବା, ଯୁବତୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା, ଆଦିବାସୀ ମାନଙ୍କୁ ଜମି ଜଳ ଜଙ୍ଗଲର ଅଧିକାର ସୁରକ୍ଷା ଦେବା , କୃଷକ ମାନଙ୍କ ପାଇଁ ସ୍ୱମୀନାଥନ୍ କମିଟି ରିପୋର୍ଟ ଲାଗୁ କରିବା ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ଏଆଇଟିୟୂସି ସଭାପତି ଯୁଧିଷ୍ଠିର ରାଉଳ, ପ୍ରମୋଦ କୁମାର ମହାନ୍ତି, ଉତ୍ତମ ମଲ୍ଲିକ ଏଆଇୟୁଟିୟୁସି ର ସୂର୍ଯ୍ୟ ବିଷୋୟୀଙ୍କ ନେତୃତ୍ୱରେ ସୁଦର୍ଶନ ବିଷୋୟୀ, ବସନ୍ତ ବେହେରା, ନନ୍ଦ ହରିଜନ, ଯମୁନା ଭୂମିଆ, ଧ୍ରୁବ ମଲ୍ଲିକ ପ୍ରମୁଖ ଅନେକ କର୍ମୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି