
ଜୟପୁର, ୧୧ ଅଗଷ୍ଟ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରରେ ଶିକ୍ଷକମାନଙ୍କ ଜ୍ଞାନ, ଦକ୍ଷତା ଓ ଅଧ୍ୟାପନା କ୍ଷମତାର ବିକାଶ ଉଦ୍ଦେଶ୍ୟରେ ଚାଲୁଥିବା ସାପ୍ତାହିକ ଏକାଡେମିକ୍ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମର ଦ୍ୱିତୀୟ ଅଧିବେଶନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତିଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିପିଜିସି ଡଃ. ପ୍ରଶାନ୍ତ କୁମାର ପାତ୍ର ମଧ୍ୟ ଉପସ୍ଥିତ ଥିଲେ। କୁଳପତି ଶିକ୍ଷକମାନଙ୍କ ନିରନ୍ତର ଜ୍ଞାନବର୍ଦ୍ଧନ ଓ ଦକ୍ଷତା ବିକାଶ ପାଇଁ ଏଭଳି ଏକାଡେମିକ୍ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।ଏହି ଅଧିବେଶନର ମୁଖ୍ୟ ବିଷୟ ଥିଲା ଖାଦ୍ୟ ଓ ପୋଷଣ। ରସାୟନ ବିଭାଗର ମୁଖ୍ୟ ଡ. ସୁଜିତ କୁମାର ଦେହୁରୀ ବିଷୟଟି ଉପରେ ଏକ ତଥ୍ୟଭିତ୍ତିକ ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟି ବିଶ୍ୱବିଦ୍ୟାଳୟର ରୁମ୍ ନଂ ଏଲ-୨ରେ ଅନୁଷ୍ଠିତ ହୋଇଥିଲା। ଆଲୋଚନାରେ ସନ୍ତୁଳିତ ଖାଦ୍ୟ, ଆବଶ୍ୟକୀୟ ପୋଷକତତ୍ତ୍ୱ, ସୁସ୍ଥ ଖାଦ୍ୟାଭ୍ୟାସ, ଖାଦ୍ୟର ଗୁଣବତ୍ତା ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ପୋଷଣର ପ୍ରଭାବ ଆଦି ବିଷୟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବର୍ତ୍ତମାନ ସମୟରେ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଓ ଅସ୍ୱାସ୍ଥ୍ୟକର ଖାଦ୍ୟର ବୃଦ୍ଧି ଦୃଷ୍ଟିରୁ ଖାଦ୍ୟ ଓ ପୋଷଣ ସମ୍ପର୍କରେ ସଠିକ୍ ଜ୍ଞାନ ସୁସ୍ଥ ବ୍ୟକ୍ତି ଓ ସୁସ୍ଥ ସମାଜ ଗଠନର ଏକ ମୁଖ୍ୟ ଆଧାର ବୋଲି ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଶିକ୍ଷକମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ ଶିକ୍ଷକମାନଙ୍କ ମଧ୍ୟରେ ଅନ୍ତଃବିଭାଗୀୟ ଜ୍ଞାନର ଆଦାନପ୍ରଦାନ, ନୂତନ ଚିନ୍ତାଧାରା ଏବଂ ଅଧ୍ୟାପନର ଗୁଣବତ୍ତା ବୃଦ୍ଧି ପାଇଁ ଏକ ଉପଯୋଗୀ ମଞ୍ଚ ଭାବେ ପରିଗଣିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି