ମହିଳାଙ୍କୁ ରୋଜଗାର ଦେଇଛି କରଡି
ଜୟପୁର, ୧୧ ଅଗଷ୍ଟ (ହି.ସ.)- କୋରାପୁଟ ଜିଲାରେ କରଡିର ଚାହିଦା ବଢିବାରେ ଲାଗିଛି । ଦିନ ଥିଲା କରଡି ବାଉଁଶ ଗଜାକୁ କେବଳ ଆଦିବାସୀ ତଥା ଜଙ୍ଗଲରେ ବସବାସ କରୁଥିବା ଲୋକେ ନିଜର ଖାଦ୍ୟ ଭାବେ ବ୍ୟବହାର କରୁଥିଲେ । ଏହାକୁ ତରକାରି କରି ଖାଇବା ସହିତ ଶୁଖାଇ ଗୁଣ୍ଡ ହଣ୍ଡୁଆ କରି ସାଇତି ରଖୁଥିଲେ । ବର
ମହିଳାଙ୍କୁ ରୋଜଗାର ଦେଇଛି କରଡି


ଜୟପୁର, ୧୧ ଅଗଷ୍ଟ (ହି.ସ.)- କୋରାପୁଟ ଜିଲାରେ କରଡିର ଚାହିଦା ବଢିବାରେ ଲାଗିଛି । ଦିନ ଥିଲା କରଡି ବାଉଁଶ ଗଜାକୁ କେବଳ ଆଦିବାସୀ ତଥା ଜଙ୍ଗଲରେ ବସବାସ କରୁଥିବା ଲୋକେ ନିଜର ଖାଦ୍ୟ ଭାବେ ବ୍ୟବହାର କରୁଥିଲେ । ଏହାକୁ ତରକାରି କରି ଖାଇବା ସହିତ ଶୁଖାଇ ଗୁଣ୍ଡ ହଣ୍ଡୁଆ କରି ସାଇତି ରଖୁଥିଲେ । ବର୍ଷା ତଥା ଜୁଲାଇ ଆରମ୍ଭରୁ ବାଉଁଶ ଗଛ ମୂଳରେ ଗଜା ବାହାରେ । ଏହି ବାଉଁଶ ଗଜା ବା କରଡ଼ି ସଂଗ୍ରହ ପାଇଁ ଆଦିବାସୀମାନେ ତତ୍ପର ହୋଇଉଠନ୍ତି କିଛି ରୋଜଗାର କରିବା ପାଇଁ । ଏଥିରେ ପ୍ରମୁଖ ଭୂମିକା ନିଅନ୍ତି ଆଦିବାସୀ ମହିଳା ଓ ଏହା ସେମାନଙ୍କ ଦୁଇ ମାସର ରୋଜଗାରର ପନ୍ଥା ପାଲଟିଯାଏ । କୋରାପୁଟ ଜିଲାର ଜୟପୁର, କୋରାପୁଟ, ନନ୍ଦପୁର, ସେମିଳିଗୁଡା, ବୈପାରିଗୁଡା, ବୋରିଗୁମ୍ମା, କୋଟପାଡ, ଲମତାପୁଟ, କୁନ୍ଦୁରା ଲକ୍ଷ୍ମୀପୁର ସମେତ ବିଭିନ୍ନ ସ୍ଥାନରେ ଥିବା ଛୋଟ ବଡ ଜଙ୍ଗଲରେ ବହୁ ବାଉଁଶ ବୁଦା ରହିଛି । ଏହିସବୁ ବାଉଁଶ ବୁଦାରୁ କରଡ଼ି ସଂଗ୍ରହ ପରେ ପ୍ରଥମେ ସେଥିରୁ ଛାଲି ଛଡ଼ାଯାଇ ପାଣିରେ ଧୁଆଯାଏ । କରଡ଼ିକୁ ପଥରରେ ଛେଚି କିମ୍ବା କଟୁରିରେ ଛୋଟ ଛୋଟ ଖଣ୍ଡ କରି କାଟି ପାଣିରେ ବୁଢ଼େଇ ରଖାଯାଏ । କିଛି ସମୟ ପରେ ତାହାକୁ ପାଣିରୁ ବାହାର କରି ତରକାରି କରାଯାଏ । ମାଣ୍ଡିଆ ଜାଉ ସହିତ କରଡ଼ି ତରକାରିକୁ ସେମାନେ ଆଗ୍ରହର ସହ ଖାଇଥାନ୍ତି । ବର୍ତମାନ କରଡ଼ି କେବଳ ଆଦିବାସୀଙ୍କ ଖାଦ୍ୟ ହୋଇ ରହିନାହିଁ । ବରଂ ଜିଲାର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ମଧ୍ୟ ମୁଖ୍ୟ ଖାଦ୍ୟ ହୋଇଯାଇଛି । ଏବେ କିଛି ହୋଟେଲର ମେନୁରେ ମଧ୍ୟ କରଡ଼ି ଦେଖିବାକୁ ମିଳୁଛି । ଏହା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି । କରଡ଼ିକୁ ନେଇ ସେମାନେ ସ୍ଥାନୀୟ ବଜାରରେ କିମ୍ବା ଗାଁ ଗାଁରେ ବିକ୍ରି କରିଥାନ୍ତି । ଗୋଟିଏ ଭାଗକୁ ୫୦ ଟଙ୍କାରେ କିମ୍ବା ୩ ଭାଗକୁ ଏକ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, କରଡ଼ିରେ ଲୌହସାର, ପ୍ରୋଟିନ, ଭିଟାମିନ ସି ଓ ଅନେକ ରୋଗର ପ୍ରତିରୋଧକ କ୍ଷମତା ରହିଛି । ଏବେ କୋରାପୁଟ ଜିଲାର ଜୟପୁରର ଜଗନ୍ନାଥ ସାଗର ନିକଟ, ପାର୍କ ସାହି ଛକ ଆଦିରେ ଏହି କରଡି ପସରା ବସିଥାଏ । ଏହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳୁଛି । କରଡ଼ିକୁ ତରକାରି, ଭଜା, ସନ୍ତୁଳା କରି ରନ୍ଧା ଯାଇପାରୁଛି । ଏଭଳି ଏକ ଜଙ୍ଗଲଜାତ ଖାଦ୍ୟ ପାଇଁ ସହରୀ ଲୋକଙ୍କ ଆଗ୍ରହ ବଢୁଛି । କରିଡ଼ିକୁ ଶୁଖାଇ ତାହାକୁ ଗୁଣ୍ଡକରି ରଖାଯାଇ ପାରୁଛି । ଏହାକୁ ହଣ୍ଡୁଆ କୁହାଯାଉଛି । ଏହି ହଣ୍ଡୁଆକୁ ବାରମାସ ଯାଏ ସୁରକ୍ଷିତ ରଖାଯାଇ ପାରୁଛି । ଏହାକୁ ଆଦିବାସୀ ମାନେ ବ୍ୟବହାର କରୁଥିବା ବେଳେ ୨ ମାସ ସମସ୍ତ ବର୍ଗର ଲୋକଙ୍କ ଆଦର କରଡି ଉପରେ ରହିଥାଏ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande