
ଜୟପୁର, ୧୧ ଅଗଷ୍ଟ (ହି.ସ.)- ବର୍ଷା ଚାଲିଛି... ଆଉ ସେହି ବର୍ଷା ଭିତରେ ଚାଲିଛି ପିଚୁ ପକା କାମ। ନିର୍ମାଣର ମାନ ନେଇ ଉଠିଛି ବଡ଼ ପ୍ରଶ୍ନ। ତେଲେଙ୍ଗିରି ଜଳସେଚନ ବିଭାଗ ଅଧୀନ କେନାଲ କଡ଼ ରାସ୍ତା କାମକୁ ନେଇ ସ୍ଥାନୀୟ ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ବର୍ଷାରେ ପିଚୁ ପକାଯାଉଥିବା ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହେବା ପରେ ବିଭାଗୀୟ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି।
ପ୍ରବଳ ବର୍ଷା ହେଉଥିବା ବେଳେ ତେଲେଙ୍ଗିରି ଜଳସେଚନ ବିଭାଗ ଅଧୀନ କେନାଲ କଡ଼ ରାସ୍ତାରେ ପିଚୁ ପକାଯାଉଥିବା ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକଙ୍କ ଅଭିଯୋଗ, ଏଭଳି ପାଣି ପାଣିରେ ପିଚୁ ପକାଇଲେ ରାସ୍ତାର ସ୍ଥାୟୀତ୍ୱ କେତେ ରହିବ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାଣୀଗଡ଼ ତେଲେଙ୍ଗିରି ଡ୍ୟାମ ଠାରୁ ତଳମୁଣ୍ଡ କେନାଲ ପର୍ଯ୍ୟନ୍ତ ଚାଲିଥିବା ଏହି ରାସ୍ତା ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ବୁଝାମଣା ଯୋଗୁଁ ଗୁଣବତ୍ତାକୁ ଅଣଦେଖା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ପ୍ରବଳ ବର୍ଷା ସମୟରେ ପିଚୁ ପକାଇବାକୁ ଅନୁମତି କିଏ ଦେଲା ? ବିଭାଗ ଏହା ଜାଣିନାହିଁ, ନା ଜାଣିଶୁଣି ନିରବ ରହିଛି ? ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ରାସ୍ତା ନିର୍ମାଣର ଗୁଣବତ୍ତା ଯାଞ୍ଚ କରିବାକୁ ଦାବି କରିଛନ୍ତି ସ୍ଥାନୟ ଲୋକ।
ଏପଟେ ବର୍ଷାରେ ପିଚୁ ପକାଯାଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ତେବେ ଏହି ଅଭିଯୋଗ ନେଇ ତେଲେଙ୍ଗିରି ଜଳସେଚନ ବିଭାଗ କିମ୍ବା ସମ୍ପୃକ୍ତ ଠିକା ସଂସ୍ଥାର ପ୍ରତିକ୍ରିୟା ମିଳିପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / ପିକେପି