
ଚମ୍ପୁଆ, ୧୧ ଅଗଷ୍ଟ(ହି.ସ.) – କେନ୍ଦୁଝର ଜିଲ୍ଲାରେ ଚମ୍ପୁଆ ବ୍ଲକ୍ରେ ମୁଖ୍ୟମନ୍ତ୍ରୀ ବସ ସେବା ଚାଳକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ବ୍ଲକ୍ରେ ମୁଖ୍ୟମନ୍ତ୍ରୀ ବସ ସେବା ପ୍ରଭାବିତ ହୋଇଛି। ବ୍ଲକ୍ରେ ଚଳାଚଳ କରୁଥିବା ପାଂଚଟି ମୁଖ୍ୟମନ୍ତ୍ରୀ ବସ୍ ବନ୍ଦ ଯୋଗୁ ଗ୍ରାମାଂଚଳ ଯାତ୍ରୀମାନେ ହୋଇରାଣର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ବସ ଗୁଡ଼ିକୁ ଚଳାଉ ଥିବା ଭେଣ୍ଡର କମ୍ପାନୀ କୁନାଲ ଟ୍ରାନ୍ସପୋର୍ଟ ଠିକ୍ ସମୟରେ ଚାଳକ ମାନଙ୍କୁ ଦରମା ଦେଉ ନଥିବା, ପ୍ରତିଶ୍ରୁତି ଅନୁସାରେ ବାର୍ଷିକ ଦରମା ରେ ଦଶ ପ୍ରତିଶତ ବୃଦ୍ଧି ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଏବଂ ଓଭର ଟାଇମ୍ ର ପେମେଂଟ କରୁନଥିବାରୁ ଏହାର ପ୍ରତିବାଦ କରି ଆଜି ଠାରୁ ଚାଳକମାନେ କାର୍ଯ୍ୟବନ୍ଦ ଡାକରା ଦେଇଥିଲେ। ତେବେ ଭେଣ୍ଡର କମ୍ପାନୀ ସଙ୍ଗେ ଆଲୋଚନା ପରେ କମ୍ପାନୀ ଅତିଶୀଘ୍ର ଚାଳକମାନଙ୍କ ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେବାରୁ ଦିନ ଦୁଇଟା ସମୟ ରେ ବସ ସେବା ସ୍ୱାଭାବିକ ହୋଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପୁଣି ଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ବସିବାକୁ ବାଧ୍ୟ ହେବେ ବୋଲି ଚାଳକମାନେ ଚେତାବନୀ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta