
ଝାରସୁଗୁଡ଼ା, ୧୧ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଲଇକେରା ଗ୍ରାମର ଜଗନ୍ନାଥ ମନ୍ଦିରଠାରୁ ନଦୀର ଟଙ୍ଗୋଘାଟକୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘଦିନ ହେଲା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ବର୍ଷା ଋତୁ ଆସିଲେ ଏହି ରାସ୍ତାର ଦୁର୍ଦ୍ଦଶା ଆହୁରି ବଢ଼ିଯାଉଛି। ସମଗ୍ର ରାସ୍ତାରେ ଆଣ୍ଠୁଏ ପର୍ଯ୍ୟନ୍ତ କାଦୁଅ ଜମିବା ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ଯାତାୟାତ କରିବା ଏବେ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ଏହି ରାସ୍ତା ଉପରେ ଲଇକେରା ଗ୍ରାମ ସମେତ ଆଖପାଖ ଅଞ୍ଚଳର ଶହ ଶହ ଲୋକ ନିର୍ଭରଶୀଳ। ଦୈନନ୍ଦିନ ଯାତାୟାତ ସହ ଚାଷକାର୍ଯ୍ୟ ପାଇଁ ଜମିକୁ ଯିବା, ନଦୀରୁ ବିଭିନ୍ନ ଆବଶ୍ୟକତା ପୂରଣ କରିବା ଏବଂ ଘରୋଇ ବ୍ୟବହାର ପାଇଁ ଗ୍ୟାସ୍ ସିଲିଣ୍ଡର ନେବାଆଣିବା କରିବାରେ ଏହି ରାସ୍ତାର ଗୁରୁତ୍ୱ ରହିଛି। ମାତ୍ର ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଲୋକଙ୍କ ଦୈନନ୍ଦିନ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଏହି ରାସ୍ତାରେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅତ୍ୟଧିକ କାଦୁଅ ଯୋଗୁଁ ବାଇକ୍ ଚକା ଖସିଯାଇ ଚାଳକମାନେ ପଡ଼ି ଆହତ ହେଉଥିବା ଅଭିଯୋଗ ହେଉଛି। ଏପରିକି ଭାରୀ ସାମଗ୍ରୀ, ବିଶେଷକରି ରନ୍ଧନ ଗ୍ୟାସ୍ ସିଲିଣ୍ଡର ନେବାଆଣିବା କରିବା ସମୟରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ରାସ୍ତାରେ ଗାଡ଼ି ଯିବା କଷ୍ଟକର ହୋଇଥିବାରୁ ଅନେକ ସମୟରେ ଲୋକଙ୍କୁ ମୁଣ୍ଡରେ କିମ୍ବା ହାତରେ ସାମଗ୍ରୀ ବୋହି ନେବାକୁ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ବର୍ଷା ଲାଗି ରହିବାରୁ ରାସ୍ତାର ମାଟି ନରମ ହୋଇଯିବା ସହ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଫଳରେ ରାସ୍ତାଟି ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଗାତଗୁଡ଼ିକରେ ପାଣି ଜମି ରହୁଥିବାରୁ ଏହାର ଗଭୀରତା ଜଣାପଡ଼ୁନାହିଁ। ଏଥିପାଇଁ ଯାନବାହନ ଚାଳକମାନେ ଦୁର୍ଘଟଣାର ଆଶଙ୍କାରେ ଯାତାୟାତ କରୁଛନ୍ତି।
ଅଞ୍ଚଳବାସୀଙ୍କ କହିବାନୁଯାୟୀ, ରାସ୍ତାଟିର ଏଭଳି ଦୁରବସ୍ଥା ଦୀର୍ଘଦିନ ଧରି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ପ୍ରତିବର୍ଷ ବର୍ଷା ସମୟରେ ସମାନ ସମସ୍ୟା ଦେଖାଦେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିଚାଲିଛି। କେବଳ ଅସ୍ଥାୟୀ ଭାବେ ମାଟି କିମ୍ବା ମୋରମ ପକାଇ ସମସ୍ୟାର ସମାଧାନ ନକରି ରାସ୍ତାଟିର ସ୍ଥାୟୀ ଭାବେ ପକ୍କା ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ସମସ୍ୟା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କାଙ୍କ ସହ ଯୋଗାଯୋଗ କରି ବିଭାଗୀୟ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ସେ ଫୋନ୍ ଗ୍ରହଣ ନକରିବାରୁ ଏନେଇ ବିଭାଗୀୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେଣୁ ଜଗନ୍ନାଥ ମନ୍ଦିରରୁ ଟଙ୍ଗୋଘାଟ ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି ସହ ଆଗାମୀ ଦିନରେ ଏହାକୁ ପକ୍କା ରାସ୍ତାରେ ପରିଣତ କରିବାକୁ ଲଇକେରା ଗ୍ରାମବାସୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନନେଲେ ଆଗାମୀ ଦିନରେ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ