
ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଲେଖା ଦକ୍ଷତା ଯାଞ୍ଚ, ବିଦ୍ୟାଳୟର ୟୁନିଫର୍ମ ଓ ଜୋତାର ମାନ ଅନୁଧ୍ୟାନ
ଝାରସୁଗୁଡ଼ା , 11 ଅଗଷ୍ଟ (ହି.ସ.) ମ୍ୟାଟ୍ରିକ ପରୀକ୍ଷା ସମୟ ପାଖେଇ ଆସୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ମାନ ଓ ପରୀକ୍ଷା ପ୍ରସ୍ତୁତିର ଅଗ୍ରଗତି ଯାଞ୍ଚ ପାଇଁ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ପରିଦର୍ଶନ ଜାରି ରହିଛି। ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆ ମଙ୍ଗଳବାର ସହରସ୍ଥିତ ସରକାରୀ ହାଇସ୍କୁଲ, ପଞ୍ଚପଡ଼ା ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିଥିଲେ।
ପରିଦର୍ଶନ ସମୟରେ ଡିଇଓ ଡ. ଗଡତିଆ ସିଧାସଳଖ ଦଶମ ଶ୍ରେଣୀ ଶ୍ରେଣୀକକ୍ଷକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ବିଷୟରେ ସେମାନଙ୍କର ପ୍ରସ୍ତୁତି, ପାଠ ବୁଝିବାର କ୍ଷମତା ଏବଂ ଲେଖା ଦକ୍ଷତା ସମ୍ପର୍କରେ ଡିଇଓ ଜାଣିବାକୁ ଚେଷ୍ଟା କରିଥିଲେ। ପରୀକ୍ଷାରେ କେବଳ ପାଠକୁ ମନେ ରଖିବା ନୁହେଁ, ନିଜ ଭାଷାରେ ସଠିକ୍ ଭାବେ ଉତ୍ତର ଲେଖିବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ନିୟମିତ ପାଠପଢ଼ା ସହ ପ୍ରତିଦିନ ଲେଖା ଅଭ୍ୟାସ କରିବା, ପୂର୍ବ ବର୍ଷର ପ୍ରଶ୍ନପତ୍ର ଅଭ୍ୟାସ କରିବା ଏବଂ ପରୀକ୍ଷାକୁ ନେଇ ଭୟଭୀତ ନହୋଇ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ଡ. ଗଡତିଆ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ପାଠପଢ଼ା ସମ୍ପର୍କିତ ଅସୁବିଧା ବିଷୟରେ ମଧ୍ୟ ସେମାନଙ୍କଠାରୁ ସିଧାସଳଖ ଜାଣିଥିଲେ।
ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣମିତା ନାଏକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ। ବିଶେଷକରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମ୍ୟାଟ୍ରିକ ପରୀକ୍ଷା ପାଇଁ କିପରି ଅଧିକ ପ୍ରଭାବଶାଳୀ ଭାବେ ପ୍ରସ୍ତୁତ କରାଯାଇପାରିବ, ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ସହାୟତା ଯୋଗାଇବା ଏବଂ ପାଠପଢ଼ାରେ ନିୟମିତତା ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପରିଦର୍ଶନ ସମୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଉଥିବା ସ୍କୁଲ ୟୁନିଫର୍ମ ଓ ଜୋତାର ମାନ ମଧ୍ୟ ଡିଇଓ ଅନୁଧ୍ୟାନ କରିଥିଲେ। ୟୁନିଫର୍ମ ଓ ଜୋତାର ଗୁଣବତ୍ତା ଯାଞ୍ଚ କରିବା ପରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧାସୁଯୋଗର ଠିକ୍ ଭାବେ କାର୍ଯ୍ୟାନ୍ୱୟନ ହେଉଛି କି ନାହିଁ, ତାହା ମଧ୍ୟ ସେ ତଦାରଖ କରିଥିଲେ।
ଡିଇଓଙ୍କ ଏହି ପରିଦର୍ଶନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ମ୍ୟାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ନିୟମିତ ଭାବେ ଅନୁଧ୍ୟାନ କରାଯିବ ବୋଲି ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ