ମନମୋହନ ସ୍କୁଲ ପଡ଼ିଆରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପରେଡ୍ ରିହର୍ସଲ ଆରମ୍ଭ
District level independence day
District level


ଝାରସୁଗୁଡ଼ା, ୧୧ ଅଗଷ୍ଟ (ହି.ସ.) - ଦେଶର ୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍ ରିହର୍ସଲ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ମହାସମାରୋହକୁ ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ମୋଟ ୩ ଦିନ ଧରି ଏହି ଅଭ୍ୟାସ କାର୍ଯ୍ୟକ୍ରମ ଜାରି ରହିବ। ଚଳିତ ବର୍ଷ ଜିଲ୍ଲାସ୍ତରୀୟ ପରେଡ୍ରେ ପୋଲିସର ବିଭିନ୍ନ ପ୍ଲାଟୁନ୍ ସମେତ ବିଭିନ୍ନ ବିଦ୍ୟାଳୟର ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ସମୁଦାୟ ୩୦ଟି ପ୍ଲାଟୁନ୍ ଭାଗ ନେଉଛନ୍ତି। ଏହାସହ ଚଳିତ ବର୍ଷ ପୋଲିସ ବ୍ୟାଣ୍ଡ ସହିତ ବିଭିନ୍ନ ସ୍କୁଲ ମଧ୍ୟ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଜିଲ୍ଲାସ୍ତରୀୟ ପରେଡ୍ ସମାରୋହକୁ ପୋଲିସ ଆର.ଆଇ. ଅନୀଲ କୁମାର ମୁଖୀ ନେତୃତ୍ୱ ନେଉଥିବା ବେଳେ ସେକେଣ୍ଡ ଇନ୍ କମାଣ୍ଡ ଭାବେ ଅଶ୍ୱିନୀ କୁମାର ମାଝୀ ପରିଚାଳନା କରୁଛନ୍ତି। ପରେଡ୍କୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ବିଭିନ୍ନ ସ୍କୁଲର ପି.ଇ.ଟି. ଶିକ୍ଷକ, ଏନ୍.ସି.ସି. ଶିକ୍ଷକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିଆରସିଂହ, ବିଭାଗୀୟ କର୍ମଚାରୀ ନିହାଲ ଭୋଇ, ରବୀନ୍ଦ୍ର ନିଆଲ, ମନବୋଧ ବଗର୍ତୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଧାର୍ଯ୍ୟ ସୂଚୀ ଅନୁସାରେ, ଅଗଷ୍ଟ ୧୨ ତାରିଖ ଅପରାହ୍ନ ୩ଟାରୁ ପରେଡ୍ ଅଭ୍ୟାସ ଜାରି ରହିବ ଏବଂ ଅଗଷ୍ଟ ୧୩ ତାରିଖ ସକାଳ ୯ଟାରେ ଶେଷ ତଥା ଚୂଡ଼ାନ୍ତ ରିହର୍ସଲ ଅନୁଷ୍ଠିତ ହେବ। ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ସମାରୋହ ଅବସରରେ ପରେଡ୍ରେ ଭାଗ ନେଇଥିବା ଶ୍ରେଷ୍ଠ କନିଷ୍ଠ, ବରିଷ୍ଠ ଓ ଅନ୍ୟାନ୍ୟ ବର୍ଗର ପ୍ଲାଟୁନ୍ଗୁଡ଼ିକୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କୃତ ଓ ସମ୍ମାନିତ କରାଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande