ମାଲକାନଗିରିରେ ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି , ୧୧ ଅଗଷ୍ଟ (ହି.ସ.) ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରିଙ୍କ ଅନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ
ମାଲକାନଗିରିରେ ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ


ମାଲକାନଗିରି , ୧୧ ଅଗଷ୍ଟ (ହି.ସ.) ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରିଙ୍କ ଅନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ର ପ୍ରମୁଖ ବ୍ୟବସ୍ଥା, ଯୌତୁକ ଦେବା, ନେବା ଓ ଦାବି କରିବାର ଆଇନଗତ ପରିଣାମ, ଯୌତୁକ ପ୍ରଥା ନିରାକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ, ଯୌତୁକ ପ୍ରଥା ସମ୍ବନ୍ଧୀୟ ଅଭିଯୋଗର ପ୍ରକ୍ରିୟା, ଆଇନଗତ ସହାୟତା ଏବଂ ବିବାହ ପଞ୍ଜୀକରଣ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହାସହ ଯୌତୁକ ପ୍ରଥା ମୁକ୍ତ ସମାଜ ଗଠନରେ ପୋଲିସ, ଶିକ୍ଷାନୁଷ୍ଠାନ, ଧାର୍ମିକ ନେତା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମାଜିକ ସଂଗଠନଗୁଡ଼ିକର ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।

କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ନୀଳମଣି ତିଳକଚାନ୍ଦ ବେହେରା ଏବଂ ସହକାରୀ ପ୍ରବନ୍ଧକ (ଆଇନ) ସୂର୍ଯ୍ୟ ନାରାୟଣ ମହାପାତ୍ର ଉପସ୍ଥିତ ଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଚିତା ପଣ୍ଡା କାର୍ଯ୍ୟକ୍ରମର ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ। ସୁରକ୍ଷା ଅଧିକାରୀ ଟି. ଜୟଲକ୍ଷ୍ମୀ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ମଣି ମୋହନ ସରକାର, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଏବଂ ଜିଲ୍ଲା ସଂଯୋଜିକା ମୀନାକ୍ଷୀ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ପ୍ରଶିକ୍ଷଣରେ ଜିଲ୍ଲାର ବିଭିନ୍ନ ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଏକକ ସେବା କେନ୍ଦ୍ର (ସଖୀ), ଶକ୍ତି ସଦନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟକ୍ରମ ପ୍ରତିନିଧି, ସମସ୍ତ ଥାନାର ଆରକ୍ଷୀ ନିରୀକ୍ଷକ/ପୋଲିସ ପ୍ରତିନିଧି, ଯୌତୁକ ନିରୋଧୀ ଶାଖାର ପ୍ରତିନିଧି ଏବଂ ସମସ୍ତ ତହସିଲଦାର/ବିବାହ ପଞ୍ଜୀକରଣ ଅଧିକାରୀ ଯୋଗଦେଇଥିଲେ। ଏଥିସହିତ ମାଲକାନଗିରି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସରକାରୀ ମଡେଲ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ, ଯୁବ ଓ ଛାତ୍ର ସଂଗଠନ, ପରିବର୍ତନ' ବେସରକାରୀ ସଂସ୍ଥା, ପୁଷ୍ପକ' ବେସରକାରୀ ସଂସ୍ଥା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଧାର୍ମିକ ନେତୃବୃନ୍ଦ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କର୍ମକର୍ତା ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ହିତଧାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande