
ନୂଆପଡ଼ା,୧୧ ଅଗଷ୍ଟ (ହି.ସ.) - ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଖଡ଼ିଆଳ ବନାଞ୍ଚଳ ଆନୁକୂଲ୍ୟରେ ଖଡ଼ିଆଳ ସ୍ଥିତ ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ—ଦୁଇଟି ବିଭାଗରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କନିଷ୍ଠ ବିଭାଗ ପାଇଁ ‘ପ୍ରକୃତି ପାଇଁ ମଣିଷ’ ଏବଂ ବରିଷ୍ଠ ବିଭାଗ ପାଇଁ ‘ପ୍ରକୃତି ଭିତରେ ମଣିଷ’ ଶୀର୍ଷକ ରଖାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜ ଚିତ୍ର ମାଧ୍ୟମରେ ପ୍ରକୃତି ସୁରକ୍ଷା, ପରିବେଶ ସଂରକ୍ଷଣ ଓ ମଣିଷ-ପ୍ରକୃତିର ସମ୍ପର୍କକୁ ପ୍ରକାଶ କରିଥିଲେ। ଏହି ପ୍ରତିଯୋଗିତାରେ ଖଡ଼ିଆଳ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ, ବନପାଳ ସୁଦାମ କୁମାର ବାଗ, ବନରକ୍ଷୀ ପରମାନନ୍ଦ ତାଣ୍ଡି, ତପସ୍ୱିନୀ ସାଗର, ସଂଯୁକ୍ତା ନେତାମ ଓ ଜୟନ୍ତୀ ମାଝୀ ପରିଚାଳନା କରିଥିଲେ। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ କୁନି କୁନି ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ସୃଷ୍ଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ