
ଝାରସୁଗୁଡ଼ା, 11 ଅଗଷ୍ଟ (ହି.ସ.)ଚଳିତ ୨୦୨୬-୨୭ ଖରିଫ ଋତୁରେ ଧାନ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସଂଗଠନର ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି।
ଓଡ଼ିଶାରେ ୨୦୨୬-୨୭ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ଏକ ଆବଶ୍ୟକ ପ୍ରକ୍ରିୟା ହୋଇଥିବାବେଳେ ଏଗ୍ରିଷ୍ଟାକ୍ ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥା ଅନେକ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ସଂଗଠନ ଅଭିଯୋଗ କରିଛି।
ସଂଗଠନର ଦାବି ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ୮୦ ପ୍ରତିଶତ ଚାଷୀଙ୍କ ନିଜ ନାମରେ ଜମିପଟ୍ଟା ନଥିବାରୁ ଏଗ୍ରିଷ୍ଟାକ୍ ବ୍ୟବସ୍ଥାରେ ପଞ୍ଜୀକରଣ କରିବା କଷ୍ଟକର ହେଉଛି। ଫଳରେ ପ୍ରକୃତ ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବଞ୍ଚିତ ହେବାର ଆଶଙ୍କା ରହିଛି।
ଜମିର ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏଗ୍ରିଷ୍ଟାକ୍ ନିୟମକୁ ସ୍ଥଗିତ ରଖିବାକୁ ସଂଗଠନ ଦାବି କରିଛି। ଏଥିସହ ଭାଗଚାଷୀଙ୍କ ପାଇଁ ପୂର୍ବବର୍ଷ ଭଳି ଜମି ମାଲିକଙ୍କ ଘୋଷଣାନାମା ଆଧାରରେ ଧାନ ପଞ୍ଜୀକରଣର ସୁଯୋଗ ଦେବାକୁ କୁହାଯାଇଛି।
ସେହିପରି ପଞ୍ଜୀକରଣର ସମୟସୀମା ବୃଦ୍ଧି, ଧାନଚାଷ ହୋଇଥିବା ସମସ୍ତ କିସମର ଜମିକୁ ପଞ୍ଜୀକରଣ ପରିସରଭୁକ୍ତ କରିବା ଏବଂ ଏଗ୍ରିଷ୍ଟାକ୍ ମାଧ୍ୟମରେ ସାର ଯୋଗାଣ ବ୍ୟବସ୍ଥାକୁ ବାତିଲ କରି ପୂର୍ବବର୍ଷ ଭଳି ଆଧାର କାର୍ଡ ଆଧାରରେ ସାର ବଣ୍ଟନ କରିବାକୁ ସଂଗଠନ ଦାବି କରିଛି।
ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏସବୁ ଦାବି ଉପରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ