




ବଲାଙ୍ଗୀର, ୧୧ ଅଗଷ୍ଟ(ହି.ସ.) – ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନ ଆଜିଠାରୁ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ସର୍କିଟ୍ ହାଉସ୍ରୁ ଏକ ବିଶାଳ ତ୍ରିରଙ୍ଗା ରାଲି ବାହାରିଥିଲା।
ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ରାଲିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଶିଷ୍ଟ ଅତିଥି ଭାବେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବଲ୍ଲଭ ଧରୁଆ ଏବଂ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଅତିଥି ଭାବେ ଯୋଗଦେଇଥିଲେ।
ତ୍ରିରଙ୍ଗା ପତାକା ଓ ଦେଶପ୍ରେମର ଧ୍ୱନିରେ ମୁଖରିତ ରାଲି ସହର ପରିକ୍ରମା କରି ସରକାରୀ ମହିଳା ମହାବିଦ୍ୟାଳୟରେ ପହଂଚିଥିଲା। ସେଠାରେ ତ୍ରିରଙ୍ଗା କନସର୍ଟ, ଦେଶାତ୍ମବୋଧକ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଲିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସମାଜସେବୀ ଓ ଜନସାଧାରଣ ଯୋଗଦେଇଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କହିଥିଲେ ଯେ, ‘ହର ଘର ତ୍ରିରଙ୍ଗା’ କେବଳ ଏକ ଅଭିଯାନ ନୁହେଁ, ଏହା ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ପ୍ରତ୍ୟେକ ପରିବାର ଓ ନାଗରିକଙ୍କ ମନରେ ଦୃଢ଼ କରିବାର ଏକ ଜନଆନ୍ଦୋଳନ। ତ୍ରିରଙ୍ଗା ହିଁ ଆମର ଜାତୀୟ ପରିଚୟ। ଏହି ପରିଚୟକୁ ସମ୍ମାନ ଜଣାଇବା ସହ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ସେ ଆହ୍ୱାନ ଦେଇଥିଲେ।
ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ ଯେ, ‘ହର ଘର ତ୍ରିରଙ୍ଗା’ ଅଭିଯାନ ଜାତୀୟତାବୋଧ ଓ ଜାତୀୟ ଏକତାକୁ ସୁଦୃଢ଼ କରିବାର ଏକ ପ୍ରୟାସ। ରାଷ୍ଟ୍ର ଏକତା ଆମର ସର୍ବୋପରି। ତ୍ରିରଙ୍ଗା ପତାକା ତଳେ ଆମେ ସମସ୍ତେ ସର୍ବଦା ଏକତ୍ରିତ ହୋଇ ରହିବା ଆବଶ୍ୟକ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଦିନେଶ ଶର୍ମା, ସମାଜସେବୀ ଗୋପାଳଜୀ ପାଣିଗ୍ରାହୀ ଓ ଶ୍ରୀବତ୍ସ ବେହେରା, ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ହରିଓମ ଶମ୍ଭୁ ନାରାୟଣ ଦାଶ, କ୍ରୀଡ଼ାବାସ ଅଧୀକ୍ଷକ ପରାସର ବାଗ, ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ସନ୍ଦୀପ କଅଁର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ଓଝା ।
ଅଭିଯାନର ପରବର୍ତୀ କାର୍ଯ୍ୟକ୍ରମ ଭାବେ ଅଗଷ୍ଟ ୧୩ ତାରିଖରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଛାତ୍ରୀମାନଙ୍କ ଦ୍ୱାରା ତ୍ରିରଙ୍ଗା ଥିମ୍ରେ ରଙ୍ଗୋଲି ପ୍ରଦର୍ଶନୀ ଆୟୋଜିତ ହେବ।
ସେହିପରି ଅଗଷ୍ଟ ୧୪ ତାରିଖରେ ଜିଲ୍ଲା ସଂସ୍କୃତି ଭବନରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରାଯିବ। ଏହି ଅବସରରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ