କୋଲାବିରାରେ ବର୍ଷାର ତାଣ୍ଡବ; ଭୁଶୁଡ଼ିଲା ଘର, ରାଜସ୍ଵ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ
Heavy-Rainfall-Kolabira
House damage


ଝାରସୁଗୁଡ଼ା, ୧୧ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ଜନଜୀବନ ପ୍ରଭାବିତ ହୋଇଛି। ପ୍ରାୟ ୧୫ ଦିନ ଧରି ଅବିରତ ବର୍ଷା ଲାଗି ରହିଥିବାରୁ ଗୋଟିଏ ପଟେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଅନ୍ୟପଟେ ଦୁର୍ବଳ ଘରଗୁଡ଼ିକ ପ୍ରତି ବିପଦ ବଢ଼ିଛି। ଏହି ବର୍ଷା ଯୋଗୁଁ କୋଲାବିରା ଗ୍ରାମରେ ଜଣେ ଚାଷୀଙ୍କ ଛପର ଘର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କୋଲାବିରା ଗ୍ରାମର ଫକୀର ସାହୁଙ୍କ ଛପର ଘର ଲଗାଣ ବର୍ଷା ଯୋଗୁଁ ଦୁର୍ବଳ ହୋଇ ଶେଷରେ ଭାଙ୍ଗି ପଡ଼ିଛି। ଘର ଭୁଶୁଡ଼ି ପଡ଼ିବା ଫଳରେ ଘର ଭିତରେ ଥିବା ଅନେକ ଆସବାବପତ୍ର ଭଙ୍ଗା କାନ୍ଥ ଓ ଛପର ତଳେ ଚାପି ହୋଇ ରହିଯାଇଥିବା ଫକୀର ସାହୁ ସୂଚନା ଦେଇଛନ୍ତି। ଘର ଭାଙ୍ଗିଯିବା ପରେ ପରିବାର ଲୋକେ ଆଶ୍ରୟ ନେବା ନେଇ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ କୋଲାବିରା ରାଜସ୍ୱ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଭାଙ୍ଗି ପଡ଼ିଥିବା ଘର ଓ ନଷ୍ଟ ହୋଇଥିବା ସାମଗ୍ରୀର ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରାଯାଇଥିବା ସୂଚନା ମିଳିଛି। ଏଥିସହିତ ତତ୍କାଳୀନ ସହାୟତା ସ୍ୱରୂପ କ୍ଷତିଗ୍ରସ୍ତ ଫକୀର ସାହୁଙ୍କୁ ଏକ ତାରପୋଲିନ୍ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ, ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଚାଷୀମାନେ ଜମିରେ ଆବଶ୍ୟକ କାର୍ଯ୍ୟ ସମୟ ଅନୁସାରେ କରିପାରୁ ନଥିବାରୁ ଚିନ୍ତା ବଢ଼ିଛି। ଏହାସହ ଲଗାତାର ବର୍ଷା ଯୋଗୁଁ ଆହୁରି କେତେକ ଦୁର୍ବଳ ଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ଅଭିଯୋଗ ଆସିଛି। ବର୍ଷା ଜାରି ରହିଥିବାରୁ ପ୍ରଶାସନ ପକ୍ଷରୁ ଦୁର୍ବଳ ଘର ଓ ବର୍ଷାଜନିତ କ୍ଷୟକ୍ଷତି ଉପରେ ନଜର ରଖିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande