
ପଲାମୁ, ୧୧ ଅଗଷ୍ଟ (ହି.ସ.)- ପୂର୍ବ ମଧ୍ୟ ରେଳବାଇର ବରକାକାନା-ସୋନନଗର ରେଳଖଣ୍ଡରେ ଗଢ଼ୱା ରୋଡ୍ ଏବଂ ସିଗସିଗୀ ରେଳ ଷ୍ଟେସନ ମଧ୍ୟରେ ସବନୱା ଗାଁ ନିକଟରେ ମଙ୍ଗଳବାର କୋଇଲା ବୋଝେଇ ମାଲଗାଡ଼ିର ୧୧ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଦୁର୍ଘଟଣା ପରେ ଡାଉନ୍ ଲାଇନରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ତେବେ, ଘଟଣାରେ କାହାରି ମୃତାହତ ହେବାର ସୂଚନା ନାହିଁ।
ରେଳବାଇରୁ ମିଳିଥିବା ସୂଚନା ଅନୁଯାୟୀ, ମାଲଗାଡ଼ି ବରକାକାନା ପଟୁ କୋଇଲା ନେଇ ସୋନନଗର ଯାଉଥିଲା। ଗଢ଼ୱା ରୋଡ୍ ଷ୍ଟେସନ ପାର ହେବା ପରେ ସିଗସିଗୀ ଷ୍ଟେସନ ଆଡ଼କୁ ଯାଉଥିବା ସମୟରେ ଗ୍ରାସିମ୍ ଇଣ୍ଡଷ୍ଟ୍ରି ନିକଟରେ ସବନୱା ଗାଁରେ ରିଭର୍ସିବଲ୍ ଲାଇନରେ ମାଲଗାଡ଼ିର ୧୧ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା।
ଘଟଣାର ସୂଚନା ମିଳିବା ମାତ୍ରେ ରେଳବାଇର ବୈଷୟିକ ବିଶେଷଜ୍ଞ ଏବଂ ଇଞ୍ଜିନିୟରିଂ ବିଭାଗର ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର ଏବଂ ପୁନରୁଦ୍ଧାର କାମ ଆରମ୍ଭ କରିଦେଇଥିଲେ। କ୍ଷତିଗ୍ରସ୍ତ ବଗିଗୁଡ଼ିକୁ ହଟାଇବା ଏବଂ ଟ୍ରାକ୍ ମରାମତି କରି ରେଳ ଚଳାଚଳ ଶୀଘ୍ର ପୁନର୍ବାହାଲ କରିବାକୁ ପ୍ରୟାସ ଚାଲିଛି।
ଡାଲଟନଗଞ୍ଜର ଯାତାୟାତ ନିରୀକ୍ଷକ ଅନିଲ କୁମାର ତିୱାରୀ ଘଟଣାର ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଅପ୍ ଏବଂ ଡାଉନ୍ ମୁଖ୍ୟ ରେଳ ଲାଇନକୁ କୌଣସି କ୍ଷତି ହୋଇନାହିଁ। ତେବେ, ଡାଉନ୍ ଲାଇନଠାରୁ କିଛି ଦୂରରେ ମାଲଗାଡ଼ିର କିଛି ବଗି ଢଳି ରହିଛି। ଅନ୍ୟ ଟ୍ରେନ୍ ସହ ଧକ୍କା ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏବେ ପର୍ଯ୍ୟନ୍ତ ଚଳାଚଳ ସମ୍ପର୍କରେ ନିଷ୍ପତି ନିଆଯାଇନାହିଁ।
ରେଳବାଇ ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ମାଲଗାଡ଼ି ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଜଣାପଡ଼ିବ। ଦୁର୍ଘଟଣା କାରଣରୁ ରେଳ ଚଳାଚଳ ପ୍ରଭାବିତ ହେବା ସହ ରେଳବାଇକୁ କ୍ଷତି ହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ