
ମାଲକାନଗିରି , ୧୧ ଅଗଷ୍ଟ (ହି.ସ.) ଚାଷୀଙ୍କ ସମସ୍ୟା କମିବା ପରିବର୍ତେ ଧାନ ବିକ୍ରି ପଞ୍ଜୀକରଣରେ ନୂଆ ବ୍ୟବସ୍ଥା ଏବେ ଚିନ୍ତା ବଢ଼ାଇଛି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ଏଗ୍ରିଷ୍ଟାକ୍ ଆଇଡିକୁ ବାଧ୍ୟତାମୂଳକ କରାଯାଇଥିବାରୁ ଜମି ରେକର୍ଡଜନିତ ସମସ୍ୟା ଥିବା ଚାଷୀ ଅଡୁଆରେ ପଡ଼ିଛନ୍ତି। ବିଶେଷକରି ନିଜ ନାମରେ ଜମିପଟ୍ଟା କିମ୍ବା ଆଓର୍ଆର୍ ନଥିବା ଭାଗଚାଷୀ, ଉତରାଧିକାରୀ ଭାବେ ଜମି ଚାଷ କରୁଥିବା ଚାଷୀ ଏବଂ ବାପା, ଜେଜେବାପା କିମ୍ବା ପୂର୍ବପୁରୁଷଙ୍କ ନାମରେ ଥିବା ଜମିରେ ଚାଷ କରୁଥିବା ଲୋକଙ୍କ ସମସ୍ୟା ଅଧିକ ଜଟିଳ ହୋଇଛି।
ଚଳିତ ଖରିଫ ଋତୁ ପାଇଁ ଧାନ ବିକ୍ରି ନିମନ୍ତେ ଚାଷୀ ପଞ୍ଜୀକରଣ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ। ଏଗ୍ରିଷ୍ଟାକ୍ ଆଇଡି ନଥିଲେ ପଞ୍ଜୀକରଣ ଏବଂ ପରବର୍ତୀ ସମୟରେ ଧାନ ବିକ୍ରି ପାଇଁ ଟୋକନ୍ ପାଇବାରେ ସମସ୍ୟା ହେବାର ଆଶଙ୍କା ରହିଥିବାରୁ ଚାଷୀଙ୍କ ମଧ୍ୟରେ ଉଦ୍ୱେଗ ବଢ଼ିଛି।
ଏଗ୍ରିଷ୍ଟାକ୍ ଆଇଡି ପ୍ରସ୍ତୁତି ସମୟରେ ଜମି ରେକର୍ଡ ସହ ଚାଷୀଙ୍କ ବ୍ୟକ୍ତିଗତ ତଥ୍ୟ ଯାଂଚ କରାଯାଉଛି। ଅନେକ ଚାଷୀଙ୍କ ଜମି ଏବେ ବି ବାପା, ଜେଜେବାପା କିମ୍ବା ପୂର୍ବପୁରୁଷଙ୍କ ନାମରେ ରହିଛି। ଉତରାଧିକାରୀଙ୍କ ନାମରେ ଜମି ହସ୍ତାନ୍ତର, ଆଓର୍ଆର୍ ସଂଶୋଧନ ଓ ଅନ୍ୟାନ୍ୟ ଜମିଜମା ସମ୍ବନ୍ଧୀୟ ପ୍ରକ୍ରିୟା ସରିନଥିବାରୁ ସେମାନେ ଏଗ୍ରିଷ୍ଟାକ୍ ଆଇଡି ପାଇବାରେ ଅସୁବିଧା ଭୋଗୁଛନ୍ତି। ଜମି ମାଲିକଙ୍କ ଅନୁମତିପତ୍ର, ବଂଶାବଳୀ ପ୍ରମାଣପତ୍ର ଆଦି ଆବଶ୍ୟକ ହେଉଥିବାରୁ ପ୍ରକ୍ରିୟା ଅଧିକ ଜଟିଳ ହୋଇପଡ଼ିଥିବା ଚାଷୀମାନେ କହିଛନ୍ତି।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ର ପୋଡ଼ିଆ ଲ୍ୟାମ୍ପ ଅଧୀନ ଏମ୍ଭି-୭୯ ମଣ୍ଡିରେ ମଧ୍ୟ ପଞ୍ଜୀକରଣ ପ୍ରକ୍ରିୟାର ଧୀମା ଗତି ଚାଷୀଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ଗତ ସୋମବାର ଭୋର୍ ପ୍ରାୟ ୪ଟାରୁ ମଣ୍ଡି ପରିସରରେ ବହୁ ସଂଖ୍ୟକ ଚାଷୀ ପଞ୍ଜୀକରଣ ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ। ଦୁଇଟି ପଂଚାୟତ—ତଣ୍ଡାବାଇ ଓ ଭୁବନପଲ୍ଲୀ—ଅଂଚଳର ପ୍ରାୟ ୩ ହଜାରରୁ ଅଧିକ ଚାଷୀ ଏହି ମଣ୍ଡି ଉପରେ ନିର୍ଭର କରୁଥିବା ଜଣାପଡ଼ିଛି।
ୱେବସାଇଟ୍ ଧୀମା ଚାଲିବା ଯୋଗୁଁ ପଞ୍ଜୀକରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଆଗେଇପାରିନଥିଲା। ଚାଷୀମାନଙ୍କ କହିବାନୁଯାୟୀ, ପ୍ରାୟ ସକାଳ ୧୦ଟାରେ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ପଞ୍ଜୀକରଣ ପ୍ରାୟ ୧୧ଟା ୩୦ରେ ହୋଇଥିଲା। ଦିନସାରା ପ୍ରକ୍ରିୟା ଚାଲିଥିଲେ ମଧ୍ୟ ମାତ୍ର ୧୨ ଜଣ ଚାଷୀଙ୍କ ଆଖି ସ୍କାନ୍ ସଫଳ ହୋଇ ପଞ୍ଜୀକରଣ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଅଧିକାଂଶ ଚାଷୀ ପଞ୍ଜୀକରଣ ନକରି ନିରାଶ ହୋଇ ଘରକୁ ଫେରିଛନ୍ତି।
ଏପଟେ ସପ୍ତାହକୁ ମାତ୍ର ଗୋଟିଏ ଦିନ, ମଙ୍ଗଳବାର ଦିନ ଏମ୍ଭି-୭୯ ମଣ୍ଡିରେ ପଞ୍ଜୀକରଣ କରାଯାଉଥିବାରୁ ଆଗାମୀ ଦିନରେ ଏତେ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ କିପରି ସମ୍ପୂର୍ଣ୍ଣ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅଗଷ୍ଟ ୩୧ ଶେଷ ତାରିଖ ହୋଇଥିବାବେଳେ ଆଗାମୀ ୧୮ ଓ ୨୫ ତାରିଖରେ ମାତ୍ର ଦୁଇ ଦିନ ପଞ୍ଜୀକରଣ ପାଇଁ ସୁଯୋଗ ରହିଛି। ଏହି ଦୁଇ ଦିନରେ ହଜାର ହଜାର ଚାଷୀଙ୍କ ପଞ୍ଜୀକରଣ କିପରି ହେବ, ସେନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।
ମଣ୍ଡିରେ ଅପେକ୍ଷା କରୁଥିବା ଚାଷୀଙ୍କ ମଧ୍ୟରେ ବହୁ ସଂଖ୍ୟକ ମହିଳା ଚାଷୀ ମଧ୍ୟ ଥିଲେ। ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହେବା ସହ ପଞ୍ଜୀକରଣ ପ୍ରକ୍ରିୟା ଧୀମା ହେବାରୁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପଡ଼ିଆ ଲ୍ୟାମ୍ପ ପକ୍ଷରୁ ୬-୭ ଜଣ କର୍ମଚାରୀ ମଣ୍ଡିକୁ ଆସି ପଞ୍ଜୀକରଣ ପ୍ରକ୍ରିୟାରେ ସହଯୋଗ କରିଥିଲେ ମଧ୍ୟ ଚାଷୀଙ୍କ ଭିଡ଼ ତୁଳନାରେ ଏହା ପର୍ଯ୍ୟାପ୍ତ ହୋଇନଥିବା ଅଭିଯୋଗ ହୋଇଛି।
ଚାଷୀମାନଙ୍କ କହିବାନୁଯାୟୀ, ପ୍ରତିବର୍ଷ ଧାନ ବିକ୍ରି ପାଇଁ ନୂଆ ନୂଆ ବ୍ୟବସ୍ଥା ଲାଗୁ ହେଉଛି। ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ପ୍ରକ୍ରିୟା ସରଳ ଓ ସ୍ୱଚ୍ଛ କରିବାର ଉଦ୍ଦେଶ୍ୟ ଥିଲେ ମଧ୍ୟ ଜମି ରେକର୍ଡରେ ରହିଥିବା ପୁରୁଣା ସମସ୍ୟା ଏବେ ବି ଦୂର ହୋଇନାହିଁ। ଉତରାଧିକାରୀଙ୍କ ନାମ ଯୋଡ଼ିବା, ସଂଶୋଧନ ଓ ଜମି ହସ୍ତାନ୍ତର ଭଳି ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଥିବାରୁ ନୂଆ ଡିଜିଟାଲ୍ ବ୍ୟବସ୍ଥା ଅନେକ ପ୍ରକୃତ ଚାଷୀଙ୍କ ପାଇଁ ଜଟିଳ ହୋଇପଡ଼ିଛି।
ଏହାର ପ୍ରଭାବରେ ପ୍ରକୃତ ଚାଷୀ ଧାନ ବିକ୍ରିରୁ ବଂଚିତ ହୋଇଯିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ତେଣୁ ଏଗ୍ରିଷ୍ଟାକ୍ ଆଇଡି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା ସହ ଜମି ରେକର୍ଡ ସଂଶୋଧନ ପ୍ରକ୍ରିୟାରେ ଥିବା ପ୍ରକୃତ ଚାଷୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ଏଥିସହ ଏମ୍ଭି-୭୯ ମଣ୍ଡିରେ ଚାଷୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅଧିକ ପଞ୍ଜୀକରଣ କାଉଂଟର, ପର୍ଯ୍ୟାପ୍ତ କର୍ମଚାରୀ ଏବଂ ଦ୍ରୁତ ଇଂଟରନେଟ୍ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି। ଅଗଷ୍ଟ ୩୧ ପୂର୍ବରୁ ସମସ୍ତ ଯୋଗ୍ୟ ଚାଷୀଙ୍କ ପଞ୍ଜୀକରଣ ସୁନିଶ୍ଚିତ କରିବା ସହ କୌଣସି ପ୍ରକୃତ ଚାଷୀ ଯେପରି ଧାନ ବିକ୍ରିରୁ ବଂଚିତ ନହୁଅନ୍ତି, ସେଥିପାଇଁ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ