
ନୂଆପଡ଼ା, ୧୧ ଅଗଷ୍ଟ (ହି.ସ.)- ଆଜି ଓଡ଼ିଶା ବିଧାନସଭାରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବନ୍ଧୀୟ ଉପସ୍ଥାପନା ସମ୍ପର୍କିତ ଗୃହ କମିଟିର ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ବୋଡ଼େନ ଓ ସିନାପାଲି ଠାରେ ସ୍ଥାୟୀ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ଏହାଦ୍ୱାରା ଅଞ୍ଚଳବାସୀଙ୍କୁ ଜମିଜମା ଓ ପଞ୍ଜୀକରଣ ସମ୍ପର୍କିତ ସରକାରୀ ସେବା ପାଇବାରେ ଅଧିକ ସୁବିଧା ମିଳିପାରିବ ବୋଲି ମତ ରଖାଯାଇଥିଲା। ଏଥିସହିତ ଗତ ଜୁଲାଇ ମାସର ଶେଷ ସପ୍ତାହରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟାରେ ହୋଇଥିବା ଧନଜୀବନ ଓ ଫସଲ କ୍ଷୟକ୍ଷତିର ସଠିକ ଆକଳନ କରିବା ସହ ବହୁଳ ଭାବେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଥିଲା। ବନ୍ୟାରେ ନଷ୍ଟ ହୋଇଥିବା ଚାଷଜମି, ଫସଲ, ଘରଦ୍ୱାର ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତିର ନିରପେକ୍ଷ ଆକଳନ କରି ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଗୃହ କମିଟିର ସଦସ୍ୟଗଣ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଉପରୋକ୍ତ ବିଷୟଗୁଡ଼ିକ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ