ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ଅଭିଯୋଗ, ପିଆଇଏଲ ଶୁଣାଣି ପାଇଁ ସୁପ୍ରିମକୋର୍ଟ ହେଲେ ରାଜି
ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ଅଭିଯୋଗ, ପିଆଇଏଲ ଶୁଣାଣି ପାଇଁ ସୁପ୍ରିମକୋର୍ଟ ହେଲେ ରାଜି
ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ଅଭିଯୋଗ, ପିଆଇଏଲ ଶୁଣାଣି ପାଇଁ ସୁପ୍ରିମକୋର୍ଟ ହେଲେ ରାଜି


ସମ୍ବଲପୁର/ନୂଆଦିଲ୍ଲୀ, ୧୧ ଅଗଷ୍ଟ (ହି.ସ.) ଓଡ଼ିଶାର ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ପ୍ରକାଶ ସିଂହ ରାୟର ନିର୍ଦ୍ଦେଶ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ନେଇ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ମଙ୍ଗଳବାର ରାଜି ହୋଇଛନ୍ତି ସୁପ୍ରିମକୋର୍ଟ।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠରେ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ମୁଖ୍ୟ ବିଚାରପତି କହିଥିଲେ, ବୁଧବାର ମାମଲାଟି ତାଲିକାଭୁକ୍ତ କରାଯିବ।

ବର୍ତ୍ତମାନର ଓଡ଼ିଶା ପୁଲିସ ଡିଜି ୱାଇ.ବି. ଖୁରାନିଆ ଆସନ୍ତା ୧୬ ଅଗଷ୍ଟରେ ଅବସର ନେବେ।

ଆବେଦନକାରୀଙ୍କ ପକ୍ଷରୁ ଚିଦାମ୍ବରମ୍ ଅଭିଯୋଗ କରିଥିଲେ ଯେ, ଓଡ଼ିଶା ସରକାର ଜଣେ ଜୁନିୟର ଅଧିକାରୀଙ୍କୁ ଡିଜିପି ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ପ୍ୟାନେଲରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି। ଏହା ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ସେ ଦର୍ଶାଇଥିଲେ।

୨୦୦୬ର ରାୟ ଅନୁଯାୟୀ, ରାଜ୍ୟର ଡିଜିପିଙ୍କୁ ୟୁପିଏସସି ଦ୍ୱାରା ଯୋଗ୍ୟ ବିବେଚିତ ଓ ପ୍ୟାନେଲଭୁକ୍ତ ହୋଇଥିବା ପୁଲିସ ବିଭାଗର ତିନିଜଣ ବରିଷ୍ଠତମ ଅଧିକାରୀଙ୍କ ମଧ୍ୟରୁ ରାଜ୍ୟ ସରକାର ଚୟନ କରିବେ। ଚୟନ ହୋଇଥିବା ଅଧିକାରୀଙ୍କ କାର୍ଯ୍ୟକାଳ ଅବସର ତାରିଖକୁ ନିର୍ବିଶେଷରେ ଅତି କମରେ ଦୁଇ ବର୍ଷ ରହିବା ଆବଶ୍ୟକ।

ଚିଦାମ୍ବରମ୍ କହିଥିଲେ ଯେ, ଅଗଷ୍ଟ ୭ରେ ୟୁପିଏସସି ଓଡ଼ିଶା ଡିଜିପି ନିଯୁକ୍ତି ପାଇଁ ଯୋଗ୍ୟ ତିନିଜଣ ଡିଜି ସ୍ତରୀୟ ଅଧିକାରୀଙ୍କ ପ୍ୟାନେଲ ଉପରେ ବିଚାର କରିବାକୁ ଥିଲା। କିନ୍ତୁ ରାଜ୍ୟ ସରକାର ଏହି ତାଲିକା ପ୍ରତ୍ୟାହାର କରିନେଇଥିଲେ।

ତାଙ୍କ ଅଭିଯୋଗ ଅନୁଯାୟୀ, ଏବେ ରାଜ୍ୟ ସରକାର ଜଣେ ଅତିରିକ୍ତ ଡିଜିପିଙ୍କୁ ପଦୋନ୍ନତି ଦେଇ ନୂଆ ପ୍ୟାନେଲରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଶା ସରକାର ଏପ୍ରିଲରେ ପ୍ରଥମ ପ୍ୟାନେଲ ପଠାଇଥିଲେ ଏବଂ ପରେ ତାହା ପ୍ରତ୍ୟାହାର କରିଥିଲେ। ମେ’ ମାସରେ ପଠାଯାଇଥିବା ଦ୍ୱିତୀୟ ପ୍ୟାନେଲରେ ତିନିଜଣ ଡିଜି ଓ ଆଠଜଣ ଏଡିଜିଙ୍କ ନାମ ଥିଲା।

ଅଗଷ୍ଟ ୭ରେ ୟୁପିଏସସି କେବଳ ଡିଜି ସ୍ତରର ଅଧିକାରୀଙ୍କୁ ବିଚାର କରିବ ବୋଲି କହିଥିବା ପରେ ରାଜ୍ୟ ସରକାର ପ୍ୟାନେଲ ପ୍ରତ୍ୟାହାର କରିନେଇଥିବା ଚିଦମ୍ବରମ୍ ଅଭିଯୋଗ କରିଥିଲେ। ବର୍ତ୍ତମାନ ଆଉ ଏକ ପ୍ୟାନେଲ ପ୍ରସ୍ତୁତ କରାଯାଉଥିବା ସେ କହିଛନ୍ତି।

ମୁଖ୍ୟ ବିଚାରପତି କହିଥିଲେ ଯେ, ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ନିୟମ ପାଳନ ନହେଲେ ୟୁପିଏସସି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବାକୁ ବାଧ୍ୟ। ଅଯୋଗ୍ୟ ଅଧିକାରୀଙ୍କ ନାମ ଥିବା ପ୍ୟାନେଲ ପଠା ଯାଇଥିଲେ ୟୁପିଏସସି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବ ବୋଲି ଖଣ୍ଡପୀଠ ଆଶା ପ୍ରକାଶ କରିଛନ୍ତି। ସେବାରତ ପୋଲିସ ଅଧିକାରୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ସିଧାସଳଖ ଆବେଦନ କରିବାକୁ ସାଧାରଣତଃ ଇଚ୍ଛୁକ ହେବେ ନାହିଁ। ତେଣୁ ଏହି ପ୍ରସଙ୍ଗକୁ ଜନସ୍ୱାର୍ଥ ମାମଲା ମାଧ୍ୟମରେ ଉଠାଯାଇଥିବା ଚିଦାମ୍ବରମ୍ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande